ଅହମଦାବାଦ,୧୯ା୧୧ :ଆଜି ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌ହେବେ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ସୁପର ସନ୍‌ଡେରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ୫ ଥରର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ନିଜର ପୂର୍ବ ଐତିହ୍ୟ ପାଇଁ ଲଢେଇ କରୁଥିବା ବେଳେ ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ପାଇଁ ପଡିଆକୁ ଓହ୍ଲାଇବ ଭାରତ। ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତର ଏହା ଚତୁର୍ଥ ପ୍ରୟାସ। ଭାରତୀୟ ଦଳରେ ଥିବା ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ପୂର୍ବରୁ ବିଶ୍ୱକପ୍‌ ଜିତି ସାରିଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ନୂତନ ଅଭିଜ୍ଞତା ହେବ। ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମା ଟି୨୦ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ରହିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଏହା ତାଙ୍କର ପ୍ରଥମ ଫାଇନାଲ। ତେଣୁ ରବିବାର ଏକ ଚମତ୍କାର ଲଢେଇ ଦେଖିବାକୁ ମିଳିବ। ବାହ୍ୟ ଖବର ଦ୍ୱାରା ଭାରତୀୟ ଦଳ ପ୍ରଭାବିତ ହେଉ ନ ଥିବା ନେଇ କହୁଥିଲେ ମଧ୍ୟ ରବିବାରର ଫାଇନାଲ ମୁକାବିଲାକୁ ନେଇ ଦଳ ଉପରେ ସାମାନ୍ୟ ଚାପ ରହିବ। ଭାରତରେ କ୍ରିକେଟରମାନଙ୍କୁ ସେଲିବ୍ରିଟି ଭାବେ ବିବେଚନା କରାଯାଉଥିବା ବେଳେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ଭରସାକୁ ବଜାୟ ରଖିବାକୁ ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନିକଟରେ ବିଶ୍ୱକପ୍‌ ଟ୍ରଫି ଉଠାଇବାର ସୁଯୋଗ ରହିଛି। ରୋହିତଙ୍କ ନେତୃତ୍ୱରେ ଭାରତ ୧୦ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ବିଶ୍ୱକପ୍‌ରେ ସର୍ବାଧିକ କ୍ରମାଗତ ବିଜୟ ରେକର୍ଡ ଅଷ୍ଟ୍ରେଲିଆ(୨୦୦୩ ଓ ୨୦୦୭) ନାମରେ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!