ମୟୂରଭଞ୍ଜ,୨୦।୧୧:ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।..ଆଜି ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ। ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ। ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ।ସେଠାରୁ ବାହାରି ସଡକପଥରେ କୁଳିଅଣା ବ୍ଲକର ପାଣିଜିଆ ଠାରେ ହୋଇଥିବା ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟର ୨ଟା ୩୫ମିନିଟରେ ଉଦଘାଟନ କରିବେ। ଏଥିପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଗସ୍ତ କରି ୪ଟା ୫୫ମିନିଟରେ ପହଞ୍ଚିବେ। ଏଥିପରେ ରାଇରଙ୍ଗପୁର ଡାକବଙ୍ଗଳା ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୧ରେ ରାଇରଙ୍ଗପୁର ବାସଭବନରୁ ବାହାରି ନିଜ ଶାଶୁଘର ଗ୍ରାମ ପାହାଡପୁରରେ ୮:୧୫ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ଏଥିପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ଏଥିପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।ସେଠାରୁ ବାହାରି ନାବାର୍ଡ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ପ୍ରସ୍ତୁତ କୌଶଳ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ସେଠାରୁ ବାହାରି ୯:୩୫ରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର- ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ- ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ ଅମୄତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |