ଅହମଦାବାଦ,୨୦୧୧ : ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ତ୍ରୟୋଦଶ ସଂସ୍କରଣ ଆଇସିସି ଦିନିକିଆ ବିଶ୍ବକପ୍ର ଫାଇନାଲ୍ରେ ଭାରତକୁ ଏକତରଫା ଭାବେ ୬ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବ ମୁକୁଟ ଅର୍ଜନ କରିଛି। ରେକର୍ଡକୁ ଆଗକୁ ବଢ଼ାଇଛି। ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ‘ତିନ୍ କା ଡ୍ରିମ୍’ ଦୁଃସ୍ବପ୍ନ ପାଲଟିଗଲା। ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନି। ଯେଉଁ ପଡ଼ିଆରେ ରନ୍ ବର୍ଷୁଥିଲା ଓ ୱିକେଟ୍ ଝଡ଼ ଲାଗି ରହୁଥିଲା, ସେଠି ପାଲଟା ପରିସ୍ଥିତିର ସମ୍ମୁଖୀନ ହେଲା ଭାରତୀୟ କ୍ରିକେଟ୍ ଦଳ। ନକ୍ ଆଉଟ୍ରେ ‘ନକ୍ ଆଉଟ୍’ ହୋଇଯିବା ଯେଭଳି ଭାରତୀୟ ଦଳ ଅଭ୍ୟାସରେ ପରିଣତ କରିଛି। ୨୦୦୩ ବିଶ୍ବକପ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ସମ୍ଭବ ହୋଇପାରିଲା ନାହିଁ। ୧୨ ବର୍ଷ ପରେ ବିଶ୍ବକପ୍ ଏବଂ ୧୦ ବର୍ଷ ପରେ ଏକ ଆଇସିସି ଟ୍ରଫି ଜିତିବାର ଯେଉଁ ସୁବର୍ଣ୍ଣ ସୁଯୋଗ ଆସିଥିଲା ତାହା ଏତେ ସହଜରେ ଖସିଯିବ ବୋଲି ବିଶ୍ବାସ ହେଉନି। ରୋହିତ ଶର୍ମାଙ୍କ ଦଳର ଘରୋଇ ମାଟିରେ ବିଶ୍ବକପ୍ ଜିତିବାର ପ୍ରତିବଦ୍ଧତା ଫୁତ୍କାରରେ ଉଡ଼ିଗଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ବିଶ୍ବକପ୍ ଜିତିବାର ଦ୍ବିତୀୟ ସ୍ବପ୍ନକୁ ସାକାର କରିନେଇଛି। ବିଦାୟୀ ବିଶ୍ବକପ୍ରେ ଡେଭିଡ୍ ୱାର୍ଣ୍ଣର ତୃତୀୟ ଥର ଟ୍ରଫି ତୋଳିବାର ବିରଳ ସଫଳତା ମଧ୍ୟ ପାଇଛନ୍ତି। ପ୍ୟାଟ୍ କମିନ୍ସ ମଧ୍ୟ ଅନ୍ୟତମ ସଫଳ ଅଧିନାୟକ ତାଲିକାରେ ଯୋଡ଼ି ହୋଇଗଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ମଧ୍ୟ ଭାରତକୁ ଅଷ୍ଟ୍ରେଲିଆ ମାତ୍ ଦେଇଥିଲା। ରବିବାର ରାତିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳରେ ବି ପରାଜାୟର ଛାପ ବାରି ହୋଇପଡ଼ିଥିଲା। ଅଷ୍ଟ୍ରେଲିଆ ଦଳ ଉତ୍ସବ ଆରମ୍ଭ୍ ପୂର୍ବରୁ ସେ ପଡ଼ିଆ ଛାଡ଼ି ପଳାଇଥିଲେ। ଟ୍ରାଭିସ୍ ହେଡ୍ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ବିରାଟ କୋହଲି (୭୬୫ ରନ୍) ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |