ନୂଆଦିଲ୍ଲୀ,୨୨।୧୧ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍କୁ ସୋମବାର ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚୋଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ ।ଗତକାଲି ସୁଡ଼ଙ୍ଗ ଭିତରକୁ ଏଣ୍ଡୋସ୍କୋପି କ୍ୟାମେରା ପଠାଯାଇ ସେମାନଙ୍କ ସ୍ଥିତି ଉପରେ ସିଧାସଳଖ ନଜର ରଖାଯାଇଛି । ଉଦ୍ଧାର କାର୍ଯ୍ୟ ସାରିବାକୁ ୫ ଦିନ ସମୟ ଲାଗିପାରେ ବୋଲି NDMA କହିଛି । କିନ୍ତୁ ଏହି ସମୟରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ NDRF ପ୍ରସ୍ତୁତ ରହିଛି ।ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଅଘଟଣ ପରେ NHAIର ସତର୍କତା । ସାରା ଦେଶରେ ନିର୍ମାଣାଧୀନ ୨୯ଟି ଟନେଲ ପ୍ରକଳ୍ପର ସେଫ୍ଟି ଅଡିଟ୍ ବା ନିରାପତ୍ତା ଯାଞ୍ଚ କରିବ ଜାତୀୟ ରାଜପଥ ପ୍ରାଧିକରଣ(NHAI) । ଟନେଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ କେତେ ସୁରକ୍ଷିତ, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି କେତେ ନିରାପଦ, ଏସବୁର ବୈଷୟିକ ଯାଞ୍ଚ କରାଯିବ ।ଏନେଇ ତୁରନ୍ତ ଅଡିଟ୍ ପ୍ରକ୍ରିୟା ଆରମ୍ଭ କରିବାକୁ NHAI ଅଧ୍ୟକ୍ଷ ସନ୍ତୋଷ ଯାଦବ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସ୍ଥାନୀୟ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଶେଷଜ୍ଞଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନା ଅନୁସାରେ, ଏବେ ସାରା ଦେଶରେ ମୋଟ ୭୯ କିଲୋମିଟର ଟନେଲ୍ ତିଆରି କରାଯାଉଛି । ହିମାଚଳ ପ୍ରଦେଶରେ ସର୍ବାଧିକ ୧୨ଟି ଟନେଲ୍ ହେଉଥିବା ବେଳେ, ଜମ୍ମୁ ଓ କାଶ୍ମୀରରେ ୬ଟି ତିଆରି ଚାଲିଛି ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ସାରିଥିବା ଟନେଲ୍ ଗୁଡ଼ିକର ମଧ୍ୟ ସେଫ୍ଟି ଅଡିଟ୍ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |