ନୂଆଦିଲ୍ଲୀ,୨୩।୧୧:ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା । ବିଶାଖାପଟ୍ଟନମ୍ରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଲକ୍ଷ୍ୟ ମିଶନ୍ 2024 ଟି-୨୦ ବିଶ୍ବକପ୍ । ବିଶ୍ୱକପ୍ ଫାଇନାଲ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ତେଣୁ ଏହି ସିରିଜ ଜିତି ଭାରତ କିଛିଟା ଆଶ୍ବସ୍ତି ଲାଭ କରିବାକୁ ପ୍ରୟାସ କରିବ। ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପଡ଼ିଆକୁ ଓହ୍ଲାଇବ। ପୂର୍ବତନ ବ୍ୟାଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ସେହିପରି ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ମାଥ୍ୟୁ ୱେଡ୍। ଦୀର୍ଘ ଏକ ବର୍ଷ ପରେ ସେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଟି-୨୦ ସ୍ପୋଶାଲିଷ୍ଟ ଦ୍ରୁତ ବୋଲର ଅର୍ଶଦୀପ ସିଂ ପୁଣି ଥରେ ଚମକ ଦେଖାଇବାର ସୁଯୋଗ ପାଇବେ। ଆହତ ହୋଇ ବିଶ୍ୱକପ୍ରୁ ବାଦ୍ ପଡ଼ିଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏହି ଦଳରେ ସ୍ଥାନ ପାଇଛନ୍ତି।ଟିମ୍ରେ ବହୁ ଯୁବ ଖେଳାଳୀଙ୍କ ପାଇଁ ରହିଛି ସୁଯୋଗ । ଦିନିକିଆ ବିଶ୍ବକପ୍ ସରିବାର ୪ଦିନ ପରେ ଦୁଇ ଫାଇନାଲିଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରାତି ୭ଟାରେ ବିଶାଖାପାଟଣାରେ ଖେଳାଯିବ। ପାଣ୍ଡ୍ୟା ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦେଢ଼ ମାସ ଲାଗିବାକୁ ଥିବାରୁ ସୂର୍ଯ୍ୟକୁମାର ଯାଦବ ଏହି ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ଓ ମୁକେଶ କୁମାର।
ଅଷ୍ଟ୍ରେଲିଆ ଦଳ: ମାଥ୍ୟୁ ୱେଡ (ଅଧିନାୟକ), ଷ୍ଟିଭ ସ୍ମିଥ୍, ଆରୋନ ହାର୍ଡି, ଜୋଶ ଇଂଲିଶ, ମାର୍କସ ଷ୍ଟୋଇନିସ୍, ଟିମ ଡେଭିଡ୍, ସିନ ଆବୋଟ, ନାଥନ ଏଲିସ୍, ଜାସନ ବେହେରନଡୋର୍ଫ, ମାଥ୍ୟୁ ଶର୍ଟ, ସ୍ପେନସର ଜନଦସନ, ତନବୀର ସାଙ୍ଗା, ଟ୍ରାଭିସ ହେଡ ଓ ଗ୍ଲେନ ମ୍ୟାକ୍ସୱେଲ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |