ଭୁବନେଶ୍ୱର,୨୭।୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ଡିଜି ସୁନୀଲ ବଂଶଲ ଓ ବିଏମ୍ସି ମେୟର ସୁଲୋଚନା ଦାସ ସ୍ବାଗତ କରିଥିଲେ। ଏଥିସହ ପାରମ୍ପରିକ ନୃତ୍ୟ ଓ ବାଜା ବଜାଇ ଓଡ଼ିଶାବାସୀ ସ୍ବାଗତ କରିଥିଲେ। ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ସିଧା ରାଜଭବନକୁ ଆସି ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟା ୩୦ରେ ରାଜଭବନରୁ ବାହାରି ୮ଟା ୪୦ରେ ସ୍ବତନ୍ତ୍ର ବିମାନରେ ପାରାଦୀପ ଯିବେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି । ପାରାଦୀପରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିବା ସହ କାରକେଡ୍ ରିହର୍ସାଲ ହୋଇଛି ।ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ୍ ଅଫିସର, ୧୩ ଜଣ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ମଧ୍ୟ କରାଯାଇଛି।ସକାଳ ୧୦ଟାରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହେବ । ଏହାପରେ ସାଧବ ପୁଅଙ୍କୁ ବୋଇତରେ ମେଲାଣି ଦେଇ କୋଷ୍ଟଗାର୍ଡ ଜାହାଜ ‘ଅମୋଘ’ରେ ରାଷ୍ଟ୍ରପତି ପୋତାଶ୍ରୟ ବୁଲିବା କାର୍ଯ୍ୟକ୍ରମ ରହିଛି । ଗତକାଲି ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ପହଁଚିଥିଲେ ରାଷ୍ଟ୍ରପତି । ଏହାପରେ ସେ ରାଜଭବନ ରାତ୍ରୀଯାପନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |