ଭୁବନେଶ୍ୱର,,୧।୧୨:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଗତ ମାସ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ୪୧ ଜଣ ଶ୍ରମିକ । ଏହି ୧୭ ଦିନ ପର୍ଯ୍ୟନ୍ତ ଶ୍ରମିକମାନେ ମୁଢ଼ି ଖାଇ, ବିନା ସୂର୍ଯ୍ୟାଲୋକରେ ଯେ କେମିତି କାଟିଥିଲେ । ଏହି ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ରହିଥିଲେ ।ଘରକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ । ଚାରି ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ବିମାନ ବନ୍ଦରରେ ଚାରି ଓଡ଼ିଆ ଶ୍ରମିକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତେବେ ଅନ୍ୟଜଣେ ଶ୍ରମିକ ତପନ ମଣ୍ଡଳ ନିଜ ଭାଇଙ୍କ ସହ ପରେ ଭୁବନେଶ୍ୱର ପହଞ୍ଚିବେ ବୋଲି ସୂଚନା ମିଳିଛି ।ଗତକାଲି ୠଷିକେଶ ଏମ୍ସ ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ୪୧ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ମଧ୍ୟ ଟନେଲରୁ ଉଦ୍ଧାର ହୋଇଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ । ସେଠାରୁ ପ୍ରଥମେ ଡେରାଡୁନ ଏବଂ ଡେରାଡୁନରୁ ଦିଲ୍ଲୀରେ ପହଞ୍ଚିଥିଲେ । କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ । ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ଦିନର ସଂଗ୍ରାମ ପରେ ଟନେଲ ଭିତରୁ ବାହାରି ସୁରକ୍ଷିତ ନିଜ ମାଟିରେ ପହଞ୍ଚିବା ନେଇ ଖୁସି ପ୍ରକାଶ କରିଛନ୍ତି ସମସ୍ତ ଶ୍ରମିକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |