୪ରୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୩।୧୨:ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି (ଡିସେମ୍ବର ୪)ଠାରୁ ଆରମ୍ଭ ହେବ। ଚଳିତ ଅଧିବେଶନକୁ ସୁରୁଖୁୁରୁରେ ଚଳାଇବା ନେଇ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା। ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ସହିତ ବିରୋଧୀ ଦଳମାନେ ମଧ୍ୟ ଆଲୋଚନା ପାଇଁ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବା ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି। ସର୍ବଦଳୀୟ ବୈଠକରେ ଶୀତ ଅଧିବେଶନର ଏଜେଣ୍ଡା ଉପରେ ଚର୍ଚ୍ଚା ହୋଇଥିଲା ଏବଂ ବିରୋଧୀ ଦଳମାନେ ଆପରାଧିକ ଆଇନକୁ ବଦଳାଇବା ସଂକ୍ରାନ୍ତ ୩ଟି ବିଲ୍‌ର ଇଂରାଜୀ ନାମକରଣକୁ ବିରୋଧ କରିଥିଲେ। ଏହା ସହିତ ଦରଦାମ ବୃଦ୍ଧି, ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ଏବଂ ମଣିପୁର ପ୍ରସଙ୍ଗ ମଧ୍ୟ ବିରୋଧୀମାନେ ଉଠାଇଥିଲେ। ଏ ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗଠନମୂଳକ ଚର୍ଚ୍ଚା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି। ଶୀତ ଅଧିବେଶନରେ ୧୯ଟି ବିଲ୍‌ ଆଗତ ହେବ ବୋଲି ସଂସଦୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।ଶ୍ରୀ ଯୋଶୀ କହିଛନ୍ତି, ଶୀତକାଳୀନ ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଧେୟକ ଆଗତ ହେବ। ଏହାବାଦ୍ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଧେୟକ ଉପରେ ଅଧିବେଶନରେ ଆଲୋଚନା ହେବ। ଅନ୍ୟପକ୍ଷରେ ବିରୋଧୀ ଦଳମାନଙ୍କ ତରଫରୁ ଯେଉଁ ସବୁ ପ୍ରସଙ୍ଗ ଉତ୍‌ଥାପନ କରାଯିବ ସେ ସମ୍ପର୍କରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!