ଆଗାମୀ ୩୧ରେ ଭକ୍ତଙ୍କ ପାଇଁ ରାତି ସାରା ଖୋଲା ରହିବ ଶ୍ରୀଜଗନ୍ନାଥ ମନ୍ଦିର

ପୁରୀ,୯।୧୨ :ଆଗାମୀ ୩୧ରେ ଭକ୍ତଙ୍କ ପାଇଁ ରାତି ସାରା ଖୋଲା ରହିବ ଶ୍ରୀଜଗନ୍ନାଥ ମନ୍ଦିର| ରାତି ଉଜାଗର ରହି ଆଗାମୀ ୩୧ରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ଭକ୍ତଙ୍କ ପାଇଁ ରାତି ସାରା ଖୋଲା ରହିବ ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାର। ଜାନୁଆରୀ ୧ ନୂଆବର୍ଷରେ ମହାପ୍ରଭୁ ଦିନରେ ଶୋଇବେ ନାହିଁ। ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତମାସ ୩୧ ଏବଂ ଜାନୁଆରୀ ୧ରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଛି। ସେହିପରି ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶାଳିନତାପୂର୍ଣ୍ଣ ପୋଷାକ ଏବଂ ପାନ, ଗୁଟ୍‌ଖା କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ।ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ଯାଞ୍ଚ କରାଯିବ। ପୁରୁଷ ବ୍ୟକ୍ତିମାନେ ଧୋତି, ପାଟ୍ଟମଠା କିମ୍ବା ପୂରା ପ୍ୟାଣ୍ଟସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମହିଳାମାନେ ଶାଢ଼ି, ପାଟ୍ଟ, ସାଲୱାର ପଞ୍ଜାବୀ ପିନ୍ଧି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବେ। ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ଖାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଯାଞ୍ଚକାରୀ ଦଳ ଗଠନ କରାଯିବ। ପାନ ଗୁଟ୍‌ଖା ଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଉପରେ ପ୍ରଶାସନ କଟକଣା ଜାରି କରିଛି। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଜାନୁଆରୀ ୧ରୁ କାର୍ଯ୍ୟକାରୀ କରାଯିବ। ଦିବ୍ୟାଙ୍ଗ ବ୍ୟକ୍ତିମାନେ ଉତ୍ତରଦ୍ୱାର ଦେଇ ଭିତରେ ପ୍ରବେଶ କରିବେ ଏବଂ ଶ୍ରୀଜୀଉଙ୍କ ଦର୍ଶନ ପରେ ସେହି ରାସ୍ତା ଦେଇ ପ୍ରସ୍ଥାନ କରିବେ। ସେମାନଙ୍କ ପାଇଁ ଉତ୍ତରଦ୍ୱାର ସମ୍ମୁଖ ପାହାଚରେ ରାମ୍ପ୍‌ ନିର୍ମାଣ କରାଯାଇଛି।ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର ରଖାଯିବ। ଦର୍ଶନରେ ସେମାନଙ୍କୁ ସହଯୋଗ କରିବା ପାଇଁ କିଛି ସହାୟକ ତଥା ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ବଡ଼ଦାଣ୍ଡର ମରିଚିକୋଟ ଛକରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ଶୀତତାପ ନିୟନ୍ତ୍ରିତ ଟନେଲ ନୂଆବର୍ଷରୁ କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ତେଣୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନୂଆବର୍ଷରେ ପୁରୀରୁ ନୂଆ ଅନୁଭୂତି ନେଇ ଫେରିବେ। ସେହିପରି ଶୁକ୍ରବାର ବୈଠକରେ ଶ୍ରୀଜୀଉଙ୍କ ପହିଲିଭୋଗ, ମକର ସଂକ୍ରାନ୍ତି ଏବଂ ଦେବାଭିଷେକ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପହିଲି ଭୋଗ ସମୟରେ ଭୋର ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ସମ୍ପନ୍ନ ପାଇଁ ସେବକ ନିଯୋଗଗୁଡ଼ିକୁ ଅନୁରୋଧ କରାଯାଇଛି।ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ, ପ୍ରଶାସକ(ନୀତି) ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର, ରାଧା ବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ଭିତରଛ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୩୧ ତାରିଖ ରାତିରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼ ନକରିବାକୁ ବୈଠକରେ ସ୍ଥିର କରାଯାଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!