ଭୁବନେଶ୍ୱର,୧୧।୧୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ହେବା ଆରମ୍ଭ ହୋଇଛି।ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବିଶେଷକରି ଉପକୂଳରେ ତାପମାତ୍ରା ସ୍ବାଭାବିକ ରହିବା ସହ ପାହାଡ଼ ଓ ସମତଳ ଅଞ୍ଚଳରେ ୧୦ ଡିଗ୍ରୀ ତଳକୁ ଆସିବ। ପରବର୍ତ୍ତୀ ୫ ଦିନ ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ ଆଦି ଜିଲାରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ କିମ୍ବା ୧୦ ଡିଗ୍ରୀଠାରୁ କମ୍ ରହିବ। ତେବେ ୧୧ ତାରିଖ ସୁଦ୍ଧା ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିବ। ୧୨ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ଏବଂ ୧୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଜିଲାରେ ପାରଦ ୧୦ ଡିଗ୍ରୀଠାରୁ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୨ ଦିନ ମଧ୍ୟରେ ଆହୁରି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିବାକୁ ଥିବାରୁ ଥଣ୍ଡା ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଦିନର ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ ଉପରେ ରହିଲେ ମଧ୍ୟ ରାତିରେ ତାପମାତ୍ରା କମ୍ ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମି ସ୍ୱାଭାବିକ ତାପମାତ୍ରା ବା ସ୍ୱାଭାବିକ ଶୀତ ଅନୁଭୂତ ହେବ। ଅନ୍ୟପଟେ ଦିନରେ ତାପମାତ୍ରା ଅଧିକ ରହୁଥିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଛି। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ୧୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |