ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୈଠକ

କେନ୍ଦ୍ରାପଡ଼ା,୧୧।୧୨: ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୈଠକ|ଅଲିଭ୍ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ସହଯୋଗ ଦିଆଯାଉଛି ଓ ଏହା ଜାରି ରହିବ ବୋଲି ଗୁରୁବାର ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ସଂପର୍କରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ୨୦୨୩-୨୪ ରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି । ପ୍ରଧାନ ବନ ସଂରକ୍ଷକ(ବନ୍ୟ ପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ତରଫରୁ ଲୋକସେବା ଭବନରେଆହୁତ ଏହି ବୈଠକରେ ପ୍ରଥମେ ଗତ ୨୦୨୨ ନଭେମ୍ବର ମାସରେ ହୋଇଥିବା ବୈଠକର ନିଷ୍ପତ୍ତିର କାର୍ୟ୍ୟାନୁଷ୍ଠାନ ଏବଂ ୨୦୨୨-୨୩ ବର୍ଷରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ୍ ସୂଚନା ଦିଆଯାଇଥିଲା ।ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ୯ରୁ ୧୩ ତାରିଖ ପର୍ୟ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଏବଂ ଫେବୃଆରୀ ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୁଲ୍ୟାଠାରେ ପ୍ରାୟ ୬.୩୭ ଲକ୍ଷ କଇଁଛ ଏହିପରି ଉଭୟ ଗହୀରମଥା ଓ ଋଷିକୂଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ହଜାର ଅଲିଭ୍ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା । ଗଣ ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡା ନଜର ରଖାଯାଇଥିଲା ।୨୦୨୩ ନଭେମ୍ବର ପହିଲାରୁ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁଭିତ୍ତିକ କାର୍ୟ୍ୟ ଆରମ୍ଭ ହୋଇସାରିଛି ଏବଂ କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ୟ୍ୟ କରୁଛି ।ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍ ) ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ୟ୍ୟ କରିବ ।ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ ।ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି।୧୦ ନଭେମ୍ବର ୨୦୨୩ରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗୋଷ୍ଠୀ ସଂଗଠନଗୁଡିକ ସହ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।କ୍ଷେତ୍ର କର୍ମକର୍ତ୍ତାମାନଙ୍କୁ ଏସଂପର୍କିତ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।ଗତ ଋତୁରେ ୪୪ଟି ଟ୍ରଲର,୩ ଟି ଗିଲ ନେଟର, ୯ ଟି ଯାନ୍ତ୍ରିକ ଡଙ୍ଗା ଜବତ କରାଯିବା ସହ ୩୮୪ ଜଣଙ୍କୁ ଗିରଫ କରାଯାଇଥିଲା ।ଜବତ ମାଛଧରା ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜନଗର ହେନ୍ତାଳ ବନ ଜଙ୍ଗଲ ଡିଭିଜନର ବରୁଣେଇ, ଗୁପ୍ତି, ସାସନପେଟା ଓ କୃଷ୍ଣପ୍ରିୟାପୁରରେ ବର୍ଥିଂ ସ୍ଥାନ ଖୋଲାଯାଇଥିଲା ।ମିଳିତ ସମୁଦ୍ର ପାଟ୍ରୋଲିଂ ଏବଂ ଆଲୋକ ନିୟନ୍ତ୍ରଣ ଆୟୋଜନ ପାଇଁ ସମସ୍ତ ଉପକୂଳ ଡିଏଫ୍ଓମାନଙ୍କ ଦ୍ୱାରା ପ୍ରତିରକ୍ଷା ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ, ଉପକୂଳରେ ଥିବା ବିଭିନ୍ନ ଅନୁଷ୍ଠାନ, ମତ୍ସ୍ୟ ବିଭାଗ ଅଧିକାରୀ, ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ ଏବଂ ଉପକୂଳ ଜିଲାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷଙ୍କ ସହିତ ନିୟମିତ ଭାବରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ଗଣ ଅଣ୍ଡାଦାନ ସମୟରେ ମିଜାଇଲ ପରୀକ୍ଷା ଯେପରି ବନ୍ଦ ରୁହେ, ସେଥିପ୍ରତି ନିଶ୍ଚିତ ଦୃଷ୍ଟି ଦେବାକୁ ପ୍ରତିରକ୍ଷା ଗବେଷଣା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ’ ୩୧ ତାରିଖ (ଉଭୟ ଦିନ) ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା କୌଶଳ ଦ୍ୱାରା ମାଛ ଧରିବା ନିଷେଧ କରିବାକୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଏକକାଳୀନ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି । ଏ ସଂପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଡିଏଫ୍ଓମାନେ ନିୟମିତ ଭାବେ ସଚେତନତା ବୈଠକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!