ଭୁବନେଶ୍ୱର,୧୭।୧୨ : ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ସକାଳ ବେଳା ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ିଆସୁଛି। କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅଚାନକ ହ୍ରାସ କାରଣରୁ ଶନିବାର ରାଜ୍ୟବାସୀ ଶୀତରେ ଥରିଛନ୍ତି। ଶନିବାର ରାଜ୍ୟର ୬ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ଆସନ୍ତା କିଛି ଦିନ ରାଜ୍ୟରେ ଏପରି ଶୀତ ପ୍ରବାହ ଜାରି ରହିବ। ୧୭ ଓ ୧୮ତାରିଖରେ ରାଜ୍ୟର କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। କନ୍ଧମାଳ ଜିଲ୍ଲାରେ ଶୀତ କିଛିଟା ଅଧିକ ଅନୁଭବ ହେଉଛି। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ସେହପରି ମୟୁରଭଞ୍ଜର ଉଦଳାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି।ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନାନୁଯାୟୀ, ୮.୩ ଡିଗ୍ରୀ ରାତ୍ରି ତାପମାତ୍ରା ସହ ସୁନ୍ଦରଗଡ଼ର କିରେଇ ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିବା ବେଳେ ଦ୍ବିତୀୟରେ ୮.୪ ଡିଗ୍ରୀ ସହ ରହିଛି କନ୍ଧମାଳର ଜି. ଉଦୟଗିରି। ସେହିପରି ଫୁଲବାଣୀରେ ୮.୫ଡିଗ୍ରୀ, କୋରାପୁଟରେ ୯.୫ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯.୬ଡିଗ୍ରୀ, ରାଉରକେଲାରେ ୯.୮ଡିଗ୍ରୀ ରହିଛି। ସେହିପରି ସମ୍ୱଲପୁର ଚିପିଲିମା, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳର ଦାରିଙ୍ଗିବାଡ଼ିରେ ୧୦ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୧୦.୨ଡିଗ୍ରୀ ରହିଛି। ଆସନ୍ତାକାଲି କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହୋଇପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |