ଆଜି ଭାରତ-ଦ.ଆଫ୍ରିକା ନିର୍ଣ୍ଣାୟକ ଲଢେଇ

ପର୍ଲ ,୨୧।୧୨ :  ସ୍ଥାନୀୟ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଗୁରୁବାର ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଭାରତ ପ୍ରଥମ ଦିନିକିଆକୁ ୨୦୦ଟି ବଲ୍‌ ବାକିଥାଇ ୮ ୱିକେଟରେ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସମାନ ଢଙ୍ଗରେ ୮ ୱିକେଟରେ ଭାରତକୁ ହରାଇଥିଲା। ଫଳରେ ସିରିଜ ୧-୧ ବରାବରସ୍ଥିତିକୁ ଆସିଥିଲା। ସିରିଜ ହାତେଇବା ପାଇଁ ଉଭୟ ଦଳ ପ୍ରୟାସ କରିବେ। ସଫଳ ହେଲେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ତା’ର ଦ୍ୱିତୀୟ ଦିନିକିଆ ସିରିଜ ଜିତିବ। ପୂର୍ବରୁ ୨୦୧୮ରେ ଭାରତ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲା।ଭାରତୀୟ    ଋତୁରାଜ ଗାଏକ୍ୱାଡ ଓ ସାଇ ସୁଦର୍ଶନଙ୍କୁ ଭଲ ଆରମ୍ଭ ଦେବାକୁ ହେବ। ଅଭିଜ୍ଞ ତଥା ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବା ଭାରତୀୟ ଯୁବ ଖେଳାଳିମାନେ ଚମକ ଦେଖାଇବାରେ ବିଫଳ ହୋଇଛନ୍ତି। ସୁଯୋଗର ସଦ୍‌ ବ୍ୟବହାର କଲେ ଦଳରେ ସେମାନେ ନିଜର ସ୍ଥାନ ପକ୍କା କରିବାରେ ସକ୍ଷମ ହେବେ। ସୁଦର୍ଶନ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନାହାନ୍ତି। ପ୍ରଥମ ଦିନିକିଆରେ ଦ୍ରୁତ ବୋଲର ଅର୍ଶଦୀପ, ଆଭେସ ଖାନ୍‌ଙ୍କ ସମେତ ଅନ୍ୟବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। କିନ୍ତୁ ଦ୍ୱିତୀୟ ଦିନିକିଆରେ ଏହାକୁ ଦୋହରାଇ ପାରି ନଥିଲେ। ମଧ୍ୟପ୍ରଦେଶର ୩୦ ବର୍ଷୀୟ ବ୍ୟାଟର ରଜତ ପଟିଦାରଙ୍କୁ ତିଳକ ବର୍ମାଙ୍କ ସ୍ଥାନରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଦ୍ୱିତୀୟ ଦିନିକିଆରେ ଭାରତୀୟ ଫିଲ୍ଡରମାନେ କ୍ୟାଚ୍‌ ହାତଛଡ଼ା କରିଥିଲେ। ତେଣୁ ଭାରତୀୟ ଖେଳାଳିଙ୍କୁ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଅପରପକ୍ଷରେ ଦ୍ୱିତୀୟ ଦିନିକିଆରେ ବଡ଼ ବିଜୟ ହାସଲ କରି ଘରୋଇ ଦଳ ଲୟକୁ ଫେରିଛି। ତେଣୁ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ଫାଇଦା ଉଠାଇବାକୁ ପ୍ରୟାସ କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!