ଭୁବନେଶ୍ୱର,୨୧ା୧୨:ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଅଭିନବ ପ୍ରୟାସ। ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ଚା’ ପରସିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଟ୍ରକ୍ ଚାଳକ। କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ, ଦୁର୍ଘଟଣା ଘଟିଥାଏ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି।ଏଣିକି ଏନ.ଏଚରେ ରାତି ଢାବାରେ ଡ୍ରାଇଭରମାନଙ୍କୁ ମିଳିବ ମାଗଣା ଚା । ଭାରୀଯାନ ଚଳାଉଥିବା ଡ୍ରାଇଭରମାନେ ଏହି ମାଗଣା ଚା ପାଇପାରିବେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।ଗଣାମାଧ୍ୟମକୁ ଏ ନେଇ ବିବୃତି ଦେଇ ମନ୍ତ୍ରୀ କହିଛନ୍ତି ଯେ- “ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାଗଣା ଚା ଚାଳକମାନଙ୍କୁ ଯୋଗାଇ ଦିଆଯିବ । ରାସ୍ତାକନରେ ଥିବା ହୋଟେଲ କିମ୍ବା ଢାବାରେ ସେମାନେ ବିଶ୍ରାମ ନେବା ସହ ମାଗଣାରେ ଚା ପିଇପାରିବେ ।’ ଏହା ସହିତ ପ୍ରତି ରାଜ୍ୟର ଜିଲ୍ଲାପାଳ ଏହି ହୋଟେଲକୁ ଚିହ୍ନଟ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ଦ୍ୱାରା ଡ୍ରାଇଭରଙ୍କ ନିଦ ସମସ୍ୟାକୁ ଏଡ଼ାଯାଇ ପାରିବ ବୋଲି ସେ କହିଛନ୍ତି । ଯାହା ଦ୍ୱାରା ଦୁର୍ଘଟରାର ଆଶଙ୍କାକୁ ମଧ୍ୟ ଅନେକାଂଶରେ ଏଡ଼ାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |