ଭୁବନେଶ୍ୱର,୨୩।୧୨: ସାରା ରାଜ୍ୟରେ ଅସହ୍ୟ ଜାଡ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ିର ପ୍ରକୋପ ଯୋଗୁଁ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ରାଜ୍ୟ ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଏଥିପାଇଁ ତାପମାତ୍ରା ବଢ଼଼ିବା ସହିତ କୁହୁଡ଼ି ପ୍ରକୋପ ଅଧିକ ରହିବ।କୁହୁଡ଼ି ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏଥିସହ ୨୫ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |