ନୂଆଦିଲ୍ଲୀ,୨୫।୧୨:ଆଜି ହେଉଛି ବଡ଼ଦିନ ବା ପବିତ୍ର ଖ୍ରୀଷ୍ଟମାସ। ସାରା ବିଶ୍ୱରେ ଏହାକୁ ବଡ ଧୂମଧାମରେ ପାଳନ କରାଯାଉଛି। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି।ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ। ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥିଲେ ବୋଲି ମାନ୍ୟତା ରହିଛି। ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ। ପ୍ରଭୁ ଯୀଶୁ ମାନବସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ।ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ସବୁ ଚର୍ଚ୍ଚରେ ସମବେତ ପ୍ରାର୍ଥନା ସହ କ୍ୟାରୋଲର ଆୟୋଜନ ହୋଇଥିଲା।ଗତକାଲି ଭାଟିକାନ୍ ସିଟିରେ ପ୍ରଭୁ ଯୀଶୁଙ୍କ ଜନ୍ମଗ୍ରହଣ ଉତ୍ସବକୁ ଧୁମ୍ ଧାମ୍ ରେ ପାଳନ ହୋଇଛି। ବିଶ୍ୱର କୋଣ ଅନୁକୋଣରୁ ଯୋଗ ଦେଇଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ମାନେ ପ୍ରଭୁ ଯୀଶୁଙ୍କ ଅଲୌକିକ ମହିମାକୁ ଅନୁଭବ କରିଛନ୍ତି।ଦେଶର ବିଭିନ୍ନ ସହରରେ ବି ବଡ଼ ଦିନ ପାଳନ ହୋଇଛି। ଗତକାଲି ରାତି ସାରା ଚର୍ଚ୍ଚରେ କ୍ୟାରୋଲ୍ ଗାଇବା ସହ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ ସମେତ ଭୁବନେଶ୍ୱର, କଟକର ଚର୍ଚ୍ଚରେ ଆଜି ସ୍ୱତନ୍ତ୍ର ପ୍ରାର୍ଥନା ସହ ସେଲିବ୍ରେସନ୍ ହେବ।ବଡ଼ଦିନରେ କେକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍ କାଟିବା ସହ ପରସ୍ପରକୁ ଏହାକୁ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି। ଛକ ଛକରେ ଲାଇଟ୍ ଲଗାଇ ଖ୍ରୀଷ୍ଟମାସ୍ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍ ଟ୍ରି ଓ ସାନ୍ତାକ୍ଲଜ୍। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ୍ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |