ପ୍ୟାରିସ ,୨୫ା୧୨:ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରୁ ନିକାରାଗୁଆ ଯାଉଥିବା ଏକ ବିମାନକୁ ଶୁକ୍ରବାର ରାତିରେ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା। ଏହି ବିମାନରେ ୩୦୩ ଭାରତୀୟ ଥିଲେ। ସମସ୍ତେ ମାନବ ଚାଲାଣର ଶିକାର ହେଉଥିବା ସନ୍ଦେହ କରାଯାଇଥିଲା।ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ ବୋଲି କୁହାଯାଉଛି।ଫ୍ରାନ୍ସ ଏଜେନ୍ସି ଉକ୍ତ ବିମାନଟିକୁ ମୁକ୍ତ କରିଛି। ବିମାନରେ ୩୦୩ ଜଣ ଯାତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ତେବେ ବିମାନଟି ଏବେ କୁଆଡେ ଯିବ ସେ ନେଇ କୌଣସି ସୂଚନା ମିଳିନାହିଁ। ବିମାନଟି ଭାରତକୁ ଉଡ଼ାଣ କରିପାରିବ କିମ୍ବା ନିକାରାଗୁଆକୁ ଯାତ୍ରା କରି ପାରିବ। ଅବା ଏହା ଦୁବାଇ ଆସି ପାରିବ। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ ଏବଂ କିଛି ତାମିଲରେ କଥାବାର୍ତ୍ତା କରୁଛନ୍ତି ଏବଂ ଟେଲିଫୋନ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡିଛି।ପ୍ରକାଶ ଡିସେମ୍ବର ୨୧ ତାରିଖରେ ରୋମନିଆ କମ୍ପାନୀର ଲିଜେଣ୍ଡ ଏୟାରଲାଇନ୍ସର ଏ୩୪୦ ନାମକ ବିମାନଟି ୩୦୩ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିଲା । ତେବେ ବିମାନଟି ଫ୍ରାନ୍ସର ଭାଟ୍ରି ନାମକ ଏକ ବିମାନବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକି ଥିଲା । ପରେ ବିମାନ ଯୋଗେ ମାନବ ଚାଲାଣ ହେବା ନେଇ ସନ୍ଦେହ କରାଯାଇ ବିମାନକୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିମଧ୍ୟରେ ଯାତ୍ରୀଙ୍କ ରହଣୀ ପାଇଁ ଅସ୍ଥାୟୀ ସୁବିଧା କରାଯାଇଥିଲା । ତେବେ ଘଟଣାର ଯାଞ୍ଚ ପ୍ରକ୍ରିୟା୍ୁ ତ୍ୱରାନ୍ୱିତ କରିବା ପାଇଁ ଫ୍ରାନ୍ସ ସରକାରଙ୍କ ତରଫରୁ ୪ ଜଣ ବିଚାରପତିଙ୍କ ସହିତ ୪ ଜଣ ସରକାରୀ ଓକିଲଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ପଚରାଉଚରା ସମୟରେ ଯାତ୍ରୀମାନଙ୍କୁ ଚାଲାଣ ହେଉଥିବା ନେଇ କୌଣସି ପ୍ରମାଣ ମିଳିନଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |