ପୁରୀରେ ଠାବ ହେଲା ରହସ୍ୟମୟ ସୁଡ଼ଙ୍ଗ

ପୁରୀ,୨୬ା୧୨: ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। କିଛିମାସ ହେବ ଏହି ପୋଖରୀର ଉନ୍ନତୀକରଣ ପାଇଁ ପାଣି ଶୁଖାଯାଉଥିଲା। ପାଣି ଶୁଖିଯିବା ପରେ ପୋଖରୀ ଭିତରେ ଗୋଟିଏ ସୁଡ଼ଙ୍ଗ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି । ପୁଷ୍କରିଣୀର ଉତ୍ତରପାର୍ଶ୍ୱରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି, ତାହା ସ୍ପଷ୍ଟ ହୋଇପାରିନି । ଏହା ବାଲିରେ ପୋତି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ସୁଡ଼ଙ୍ଗ ଯେଉଁ ପାର୍ଶ୍ୱକୁ ଦୃଶ୍ୟମାନ ହେଉଛି, ସେ ପାର୍ଶ୍ୱକୁ କୌଣସି ପୋଖରୀ କି ନାଳ ନ ଥିଲେ ବି ସୁଡ଼ଙ୍ଗ ଭିତରୁ ପାଣି ଝର ପଡ଼ିଥିବା ଦେଖିବାକୁ ମିଳିଛି । ଏହା ପୁଷ୍କରିଣୀର ପାଣି ନିଷ୍କାସନ ବାଟ ନା ଅନ୍ୟକିଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାର ଅଧିକ ଅନୁସନ୍ଧାନ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହିଛନ୍ତି ।ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ଭିତରେ ଇନ୍ଦ୍ରଦ୍ୟୁମ୍ନ ଅନ୍ୟତମ । ଐତିହାସିକଙ୍କ ମତରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ଏହି ପୁଷ୍କରିଣୀ ଖନନ ହୋଇଥିଲା । ଲୋକକଥା ଅନୁଯାୟୀ, ଏହି ପୋଖରୀ ଖନନ କରିବା ସମୟରେ ପଥର ବୋହି ବୋହି ଲୋକେ କୁରୁମ ପାଲଟି ଯାଇଥିଲେ । ଏହି କୁରୁମମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳରେ ଏବେ ବି ରହୁଥିବା କୁହାଯାଉଛି । ଏବେ ଓବିସିସି ପକ୍ଷରୁ ୬୪କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରଦ୍ୟୁମ୍ନ ସହ ମାର୍କଣ୍ଡ, ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ ସମେତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ପବିତ୍ର ଜଳରାଶିକୁ ବିଶୋଧନ କରାଯାଉଛି । ପୁଷ୍କରିଣୀର ଜଳରାଶିକୁ ଉଝୁଳାଯାଇ ନୂଆ ଝର ଫିଟିବାର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ବଡ଼ ବଡ଼ ପାଣିପମ୍ପ୍ ଲଗାଯାଇଛି । ପାଣି ଶୁଖାଇବା ଜାରି ରହିଥିବାବେଳେ ପାଣିରେ ବୁଡ଼ି ରହିଥିବା ପାହାଚ ଦୃଶ୍ୟମାନ ହେବା ଆରମ୍ଭ ହୋଇଛି । ପୂର୍ବ-ଉତ୍ତର ପାର୍ଶ୍ୱରେ ପାହାଚର ପଥର ସନ୍ଧିରେ ଏହି ସୁଡ଼ଙ୍ଗ ଠାବ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!