ଭୁବନେଶ୍ୱର,୨୬।୧୨ : ରାଉରକେଲା–କୋଲକାତା ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ତିନିଦିନ ରାଉରକେଲା ଓ କୋଲକାତା ମଧ୍ୟରେ ଏ.ଟି.ଆର୍-୭୨ ବିମାନ ଚଳାଚଳ କରିବ । ପ୍ରାରମ୍ଭିକ ଭଡ଼ା ୧୯୯୯ଟଙ୍କା ରହିଛି । ରାଜ୍ୟ ସରକାର ଏଥିପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।ବିମାନ ପୂର୍ବାହ୍ନ ୧୧ଟାରେ କୋଲକାତା ବିମାନ ବନ୍ଦରରୁ ବାହାରି ରାଉରକେଲାରେ ଦିନ ସାଢ଼େ ୧୨ଟାରେ ପହଞ୍ଚିବ ।ସେହିପରି ଅପରାହ୍ନ ୩ଟା ୫୦ରେ ରାଉରକେଲାରୁ ବିମାନ ଉଡ଼ାଣ କରି କୋଲକାତାରେ ସନ୍ଧ୍ୟା ୫ଟା ୨୦ରେ ପହଞ୍ଚିବ । ସପ୍ତାହର ଅନ୍ୟ ଚାରି ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ରାଉରକେଲାରୁ କୋଲକାତାକୁ ଭୁବନେଶ୍ୱର ଦେଇ ବିମାନ ଉଡ଼ାଣ ହେବ ବୋଲି କୁହାଯାଇଛି ।ଆଗାମୀ ନୂଆବର୍ଷରୁ ମାଲକାନଗିରିରେ ବିମାନ ଉଡ଼ାଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଳକାନଗିରି ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଉଦ୍ଘାଟନ କରିବେ । ମାଲକାରନଗିରି ଉପକଣ୍ଠରେ ଥିବା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିମାନ ବନ୍ଦର ରନୱେ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଏହା ବ୍ୟତୀତ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମଗାର ସହ ରନୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ ନିମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମାଲକାନଗିରି ବିମାନ ବନ୍ଦରର ରନୱେ ଲମ୍ବ ୧୬ ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର ରହିଛି । ଆବଶ୍ୟକ ହେଲେ ଏହାକୁ ୩ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ । ଖୁବ୍ ଶୀଘ୍ର ରନ୍ ୱେର ଟ୍ରାଏଲ ରନ୍ କରିବା ଲାଗି ସ୍ଥିର ହୋଇଥିବା ବେଳେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଦିନ ରାତି ଏକ କରିଦେଇଛି ପ୍ରଶାସନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |