ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦ୍ଘାଟନ ହେବାକୁଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି। ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ମଧ୍ୟ ଭକ୍ତମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ୍ରପ୍ରବେଶ ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଛନ୍ତି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅନୁରୂପ ଭାବରେ ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି। ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |