ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା

ଭୁବନେଶ୍ୱର,୫ା୧:ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ୍। ଏସି କଂପ୍ରେସର ବିସ୍ଫୋରଣରେ ଜଣେ ମୃତକଙ୍କ ପରିଚୟରେ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ । ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି ନୁହେଁ , ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା । ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି।ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି। ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଗୁରୁବାର ହାଇଟେକ୍‌ ହସ୍ପିଟାଲ ପରିସରରେ ଧାରଣା ଦେଇଛନ୍ତି। ଜ୍ୟୋତିଙ୍କ ମୃତଦେହ ନେବାକୁ ସେମାନେ ଅଡ଼ି ବସିଛନ୍ତି। ଏଥସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରଖିଛନ୍ତି।ହାଇଟେକ୍ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଯେଉଁ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ଆଣିଥିଲେ, ସେ ହିଁ ସେମାନଙ୍କ ନାଁ ଚିହ୍ନଟ କରିଥିଲେ। ହସ୍ପିଟାଲ ପକ୍ଷରୁ କେବଳ ଚିକିତ୍ସା କରାଯାଇଛି ଏବଂ ସମସ୍ତ ପ୍ରୋଟୋକଲର ଅନୁପାଳନ ହୋଇଛି ।ସେପଟେ ଭେଣ୍ଟିଲେଟରରୁ ବାହାରଥିବା ବ୍ୟକ୍ତି ପ୍ରକୃତରେ ଦିଲୀପ ନା ଜ୍ୟୋତିରଞ୍ଜନ ତାହା ଏବେବି ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ହାଇଟେକ୍ ସିଇଓ । କାରଣ ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କୁ ଜ୍ୟୋତିରଞ୍ଜନଙ୍କ ବାପା ଏବେ ମଧ୍ୟ ନିଜ ପୁଅ ବୋଲି ଦାବି କରୁଥିବା ସୂଚନା ମିଳିଛି । ଅପରପକ୍ଷେ, ଏହି ଘଟଣାକୁ ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶ୍ୱଶୂର । ସେ କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚି ଥାଉ ଥାଉ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ଏଥି ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀ କହିଛନ୍ତି ଯେ, ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀଙ୍କ ନାଁ କହିଥିଲେ । କାହାର ନାଁ କଣ, ସେ ଚିହ୍ନଟ କରିନଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!