ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି।ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ଶୁକ୍ରବାରଠାରୁ ମୋଦୀ ୧୧ ଦିନିଆ ସ୍ବତନ୍ତ୍ର ବ୍ରତ ଆରମ୍ଭ କରିଛନ୍ତି। ଶୁକ୍ରବାର ଜାରି କରିଥିବା ୧୦ ମିନିଟର ଏକ ଭିଡିଓ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନକାଳରେ ସେ ପ୍ରଥମ ଥର ଏଭଳି ଈଶ୍ବରଙ୍କ ପ୍ରତି ସମର୍ପଣ ଭାବନା ଅନୁଭବ କରୁଛନ୍ତି। ମୋଦି ଶୁକ୍ରବାର ନାସିକର ପଞ୍ଚବଟୀ କ୍ଷେତ୍ରର ଗୋଦାବରୀ ତଟସ୍ଥିତ କଳା ରାମ ମନ୍ଦିରରୁ ନିଜ ବ୍ରତ ଆରମ୍ଭ କରିଛନ୍ତି। ଏହା ମୁତାବିକ, ସେ ତଳେ ଶୋଇବା ସହ ୧୧ଦିନ ଧରି ମୌନ ବ୍ରତ ମଧ୍ୟ ରଖିବେ। ସକାଳେ ଶୀଘ୍ର ଉଠି ପ୍ରାର୍ଥନା, ଜପଧ୍ୟାନ ଆଦି କରିବେ।ଉକ୍ତ ଦିନ ଗର୍ଭଗୃହରେ ପୁରୋହିତଙ୍କ ସହ ସେ ଏକାକୀ ଉପସ୍ଥିତ ରହିବେ, ତଥାପି ୧୪୦ କୋଟି ଭାରତୀୟ ତାଙ୍କ ମାନସପଟରେ ଉଙ୍କି ମାରିବେ ବୋଲି ମୋଦୀ କହିଛନ୍ତି। ଏଭଳି ଏକ ପବିତ୍ର ମୁହୂର୍ତ୍ତର ସେ ସାକ୍ଷୀ ପାଲଟିବେ ସତ, ତେବେ ପ୍ରତ୍ୟେକ ରାମଭକ୍ତ ମୋ ସହିତ ଜଡିତ ରହିବେ ବୋଲି ମୋଦୀ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପାଇଁ ତାଙ୍କୁ ମନୋନୀତ କରାଯାଇଥିବାରୁ ମୋଦୀ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।ପ୍ରତ୍ୟେକ ଭାରତୀୟଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଗୁରୁ ଦାୟିତ୍ବ ବୋଲି ମୋଦୀ କହିଛନ୍ତି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରତ୍ୟେକ ଭାରତୀୟ ଯୋଗ ଏବଂ ଉପାସ ଜରିଆରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |