ଚୌଦ୍ୱାର,୨୧।୧:ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିଟି ହୋଇଥିଲା ସୁଧାକର ବସନ୍ତଙ୍କ କାର୍। ସେ ବାରିପଦାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ। କାର୍କୁ କାଟି ସୁଧାକରଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି। ଉଦ୍ଧାର କରାଯିବା ବେଳକୁ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। କାର୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଛି। ସେହିଭଳି ମୁଣ୍ଡରେ ଅଳ୍ପ ଆଘାତ ଲାଗିଛି। ସେ ବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |