ଭୁବନେଶ୍ୱର,,୨୧।୧: ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଡ. ପଶୁପାଳକଙ୍କ ଅନୁଯାୟୀ, ଆସନ୍ତା ୨୨ ଓ ୨୩ ତାରିଖରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ଥିବା ବେଳେ ୨୩ରୁ ୨୫ ତାରିଖ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ଯାଏଁ ବଢ଼଼ିବ।ସେହିପରି ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୧ରୁ ୨୪ ତାରିଖ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଶୀତର ପ୍ରକୋପ ସାମୟିକ ବଢ଼଼ିବ। ତେବେ ୨୫ତାରିଖ ପରେ ଶୀତର ପ୍ରକୋପ ଧୀରେଧୀରେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଅପରପକ୍ଷେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ, ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଅନୁଗୋଳ ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ତେଣୁ ଯାନବାହନ ଚଳାଚଳରେ ସମସ୍ୟା ଉପୁଜିପାରେ। ଏ ନେଇ ସତର୍କତା ଜାରି କରାଯାଇଛି। ୨୧ ଏବଂ ୨୨ ତାରିଖରେ ପୁରୀ , ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ , ବୌଦ୍ଧ , ସୋନପୁର , କଟକ, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ। ସେହିପରି ୨୩ ତାରିଖରେ ପୁରୀ , ଖୋର୍ଦ୍ଧା ନୟାଗଡ , କଟକ , ଜଗସିଂହପୁର , ଢେଙ୍କାନାଳ , ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ସକାଳୁ ଘନ କୁହୁଡି ଦୃଶ୍ୟମାନ ହେବ । ୨୫ ତାରି ଯାଏଁ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |