ପାଟନା,୨୬।୧: ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୮ ଜାନୁଆରୀରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ସୁଶୀଳ ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।ଆସନ୍ତା ରବିବାର ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ନୀତିଶ କୁମାର ତାଙ୍କ ଶାସକ ପାର୍ଟନର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ ଇଣ୍ଡିଆ ବ୍ଲକ ସଦସ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଡିଲିଟ୍ ହୋଇ ଯାଇଥିବା ଏକ ଟ୍ବିଟ୍ ତାଙ୍କୁ ଆଘାତ ଦେଇଛି। ଯେଉଁଥିରେ ରୋହିଣୀ ବିହାର ମୁଖ୍ୟମନ୍ତ୍ରୀଙ୍କ ‘ପାରିବାରବାଦ’ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଇଥିଲେ। ଇଣ୍ଡି ମେଣ୍ଟରେ ସମନ୍ୱୟ ଓ ତତ୍ପରତାର ଅଭାବ ଏବଂ ଆସନ ବଣ୍ଟନ ଲାଗି ଆଜି ଯାଏ ବୁଝାମଣା ନ ହେବା ନିତିଶଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ସମାଜବାଦୀ ପାର୍ଟି ମଖ୍ୟ ଅଖିଳେଶ ଯାଦବ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମମତା ଓ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ତେଣୁ ନୀତୀଶ ଯଦି ବିଜେପି ଶିବିରକୁ ଚାଲି ଯାଆନ୍ତି ତେବେ ଇଣ୍ଡି ମେଣ୍ଟର ଭବିଷ୍ୟତ ଅନ୍ଧାରକୁ ଚାଲିଯିବା ନିଶ୍ଚିତ।ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।ବିହାରରେ ଏପରି ରାଜନୈତିକ ଘମାସନ ଚାଲିଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ନୀତୀଶ କୁମାର କିଛି ବଡ଼ ଘୋଷଣା କରି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପାଟଣାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଇଛି ଏହି ଚର୍ଚ୍ଚା। ଏପରି ସ୍ଥିତିରେ ଜେଡିୟୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛି।ନିଜର ସସମ୍ତ ବିଧାୟକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ପାଟଣାରେ ପହଞ୍ଚିବାକୁ ଜେଡିୟୁ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବିହାରରେ ବହଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବୈଠକ ବସିଥିଲା। ଏଥିରେ ବିହାର ବିଜେପିର ତୁଙ୍ଗ ନେତା ସାମିଲ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |