ଭୁବନେଶ୍ବର,୪।୨: ସୋମବାରଠାରୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ।ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଅଧିବେଶନ ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଏହି ସମୟରେ ଯେଭଳି ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ଦେଖାନଯାଏ, ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି। କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ପରିସର ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଉପାୟୁକ୍ତ ପ୍ରତୀକ ସିଂହ। ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହେବେ। ୮ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ୧୦୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ହେବେ । ପୁରା ବିଧାନସଭା ସିସି ଟିଭି ନଜରରେ ରହିବ। ବିଧାନସଭା ବେଳେ ଏକାଧିକ ସଂଗଠନ ବିକ୍ଷୋଭ କରିବେ। ଏହାକୁ ନଜରରେ ରଖି ପୁଲିସ ବିକ୍ଷୋଭସ୍ଥଳରେ ଡ୍ରୋନ୍ ଉଡାଇବ। କମିଶନରେଟ୍ ପୁଲିସ ପୁରା ଭୁବନେଶ୍ବରକୁ ନାକାବନ୍ଦୀ କରିଛି। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଆଦି ସମସ୍ତ ଦିଗ ଉପରେ କଡ଼ା ନଜର ରଖିବେ। କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି। ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବ।ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍, ରବୀନ୍ଦ୍ରମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କରାଯିବ। ଡିସିପି ପ୍ରତୀକ ସିଂଙ୍କ ସମେତ ୨ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଡିଏସ୍ପି ପାହ୍ୟାର ଅଧିକାରୀ, ୨୦ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଡିସିପି ଶ୍ରୀ ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ୨ଟି ଚେକ୍ପୋଷ୍ଟ କରାଯାଇଛି। ଏହାଛଡ଼ା ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ୍-ପିଏମ୍ଜି ରାସ୍ତାକୁ ସିଲ୍ କରାଯାଇଛି। ରେଳ ଷ୍ଟେସନ୍ ନିକଟରେ ଥିବା ସମସ୍ତ ହୋଟେଲ୍, ଲଜ୍ରେ ରହୁଥିବା ଅତିଥିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ସେହିପରି ରାଜଧାନୀର ଖଣ୍ଡଗିରିରୁ ଆରମ୍ଭ କରି ରସୁଲଗଡ଼, କଳ୍ପନା, ପଟିଆ ଆଦି ବିଭିନ୍ନ ଅଞ୍ଚଳରେ ରାତିରେ ବ୍ଲକିଂ, ଚେକିଂ ଆରମ୍ଭ କରିଛି ପୁଲିସ। ତେବେ ଆସନ୍ତା ୪ତାରିଖ ଦିନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ, ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନ ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |