ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ , ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର,୧୦।୨: ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିିଛି। ତାଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ‘ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି।ସେହିପରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।ସେହିପରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି। ଏହାସହ ସୁଜ୍ଞାନ କୁମାରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଧର୍ମେନ୍ଦ୍ର ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ସୁଜ୍ଞାନ କୁମାରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା। ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ।ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁଜ୍ଞାନ କୁମାରୀ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ। ବାରମ୍ବାର ମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ସେ ଜଣେ ରୋଲ ମଡେଲ୍ ଥିଲେ। ମୋ ପ୍ରତି ତାଙ୍କର ସ୍ନେହ ଥିଲା । ଖରାପ ସମୟରେ ସେ ମୋତେ ଉତ୍ସାହିତ କରିବା ସହ ଭରସା ଦେଉଥିଲେ ବୋଲି ଏକ୍ସରେ ଲେଖିଛନ୍ତି ବୈଜୟନ୍ତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!