ଶମ୍ଭୁ ସୀମାରେ ଚାଷୀ ପୁଲିସ ମୁହାମୁହିଁ

ନୂଆଦିଲ୍ଲୀ,୧୪।୨:ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ଆଜି ମଧ୍ୟ ହଜାର ହଜାର କୃଷକ ରାଜଧାନୀ ଦିଲ୍ଲୀରେ ପଶିବା ପାଇଁ ମାଡି ଆସୁଛନ୍ତି। ସେମାନଙ୍କୁ ପୁଲିସ ଅଟକାଇବା ପାଇଁ ଚେଷ୍ଟା ଜାରି ରଖିଛି। ଏଭଳି ସ୍ଥିତିରେ ପଞ୍ଜାବ ହରିୟାଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ୍ତ ହୋଇଛି।ଶମ୍ଭୁ ସୀମାରେ ଗତକାଲି ଠାରୁ କୃଷକ ଓ ପୁଲିସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। କୃଷକମାନେ ପୁଲିସ ଉପରେ ପଥର ମାଡ କରିଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ମଧ୍ୟ ସେମାନଙ୍କୁ ଅଟକାଇବା ପାଇଁ ଲଗାତର ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାରେ ସେନାକୁ ମୁତୟନ କରିଛି।୨୬ କୃଷକ ସଙ୍ଗଠନ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦିଆଯାଇଥିବାରୁ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ହଜାର ଚାଷୀ ଜାତୀୟ ରାଜଧାନୀ ଭିତରକୁ ପ୍ରବେଶ ଉଦ୍ୟମ କରିଛନ୍ତି। ସେମାନଙ୍କ ଉପରେ ପୋଲିସ ପ୍ରଶାସନ ପାଣି ବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କୁରୁକ୍ଷେତ୍ର ସମେତ କେତେକ ସ୍ଥାନରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଫେବୃୟାରୀ ୧୬ରେ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବାରୁ ୧୪୪ ଧାରା ଜାରି ସହ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ ନ କରି ଏମ୍‌ଏସ୍‌ପି ସମ୍ପର୍କିତ ଆଇନ ତରବରିଆ ଭାବେ ଅଣାଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ ବିକ୍ଷୋଭକାରୀ କୃଷକମାନଙ୍କୁ ସରକାରଙ୍କ ସହ ଫଳପ୍ରଦ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ କ୍ଷମତାକୁ ଆସିଲେ ‘କିଷାନ ନ୍ୟାୟ ଗ୍ୟାରେଣ୍ଟି’ ନାମରେ ଫସଲର ଏମ୍‌ଏସ୍‌ପି ପାଇଁ ନିଜ ବୈପ୍ଳବିକ ପ୍ରତିଶ୍ରୁତି ପାଳନ ପୂର୍ବକ ତୁରନ୍ତ ଆଇନ ଆଣିବ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ନାମରେ ୩ଟି କୃଷି ଆଇନ ଆଣିଥିଲେ। ଏହି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି କୃଷକମାନେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନ ଚଳାଇଥିଲେ। କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୧୯ରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିସହ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଏ ପର୍ଯ୍ୟନ୍ତ କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ‘ଦିଲ୍ଲୀ ଚଲୋ’ ଆହ୍ବାନକ୍ରମେ କୃଷି ପ୍ରଧାନ ରାଜ୍ୟଗୁଡ଼ିକରୁ ଚାଷୀମାନେ ଦିଲ୍ଲୀମୁହଁା ହୋଇଛନ୍ତି। ଏମ୍‌ଏସ୍‌ପି ଆଇନ, ଋଣଛାଡ଼ ଏବଂ ପୂର୍ବ ଆନ୍ଦୋଳନ ବେଳେ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ଅନେକ ଦାବିକୁ ନେଇ ସେମାନେ ସରକାରଙ୍କ ଉପରେ ଚାପସୃଷ୍ଟି ପାଇଁ ବିକ୍ଷୋଭ ଚଳାଇଛନ୍ତି। ଟ୍ରାକ୍ଟର ଟ୍ରଲିଗୁଡ଼ିକରେ କୃଷକଙ୍କ ସହ ମହିଳାମାନେ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ସେମାନଙ୍କୁ ରୋକିବା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପଞ୍ଜାବର ଫତେଗଡ଼ ସାହିବରେ ଶତାଧିକ ଟ୍ରାକ୍ଟରକୁ ଅଟକାଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଥିବାବେଳେ ଅମୃତସରରୁ ବାହାରିଥିବା ଶୋଭାଯାତ୍ରାରେ ଏକ ଏକ୍ସାଭେଟର ରହିଛି। ବ୍ୟାରିକେଡ୍‌ଗୁଡ଼ିକୁ ଭାଙ୍ଗିବା ପାଇଁ ଏହାକୁ ବ୍ୟବହାର କରାଯିବ ବୋଲି ଚାଷୀମାନେ କହିଛନ୍ତି। ହରିୟାଣାରୁ ଦିଲ୍ଲୀ ଯାଇଥିବା ରାଜପଥରେ ମଧ୍ୟ ପୋଲିସ ବହୁ ସଂଖ୍ୟକ ଟ୍ରାକ୍ଟରକୁ ରୋକିଦେଇଛି। ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥଳଗୁଡ଼ିକରେ ଦିଲ୍ଲୀ ପୋଲିସ ବହୁସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରିଛି। ବ୍ୟାରିକେଡିଂ ସହ ଟ୍ରାକ୍ଟରର ଟାୟାର ଫାଟିବା ଭଳି କଣ୍ଟା ବିଛାଇଛି। ହରିୟାଣାର ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗି ଘଜ୍ଜର ନଦୀ ବ୍ରିଜକୁ ଫିଙ୍ଗିଦେଇଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ଡ୍ରୋନ୍‌ ସହାୟତାରେ ଲୁହବୁହା ବାଷ୍ପ ଛଡ଼ାଯାଇଛି। ଅନେକ ସ୍ଥାନରେ ଦଙ୍ଗାନିରୋଧୀ ଗାଡ଼ି ଓ ଓ୍ବାଟର କ୍ୟାନନ୍‌ ମୁତୟନ କରାଯାଇଛି। କେତେକ ସ୍ଥାନରେ ପୋଲିସ ଓ କୃଷକ ମୁହଁାମୁହିଁ ହୋଇଥିବା ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!