ଭୁବନେଶ୍ୱର,,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନାରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି। ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ମିିିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ପ୍ରକଳ୍ପ ହେଉଛି JSW Utkal Steel Limited ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା। ଏହା ମାଧ୍ୟମରେ ପ୍ରାୟ ୩୦,୦୦୦ ଯୁବ ବର୍ଗଙ୍କୁ କର୍ମନିଯୁକ୍ତି ମିଳିବ।ଏଥି ସହିତ ReNew E-Fuels Private Ltd.ର ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧.୨୦ MPTA ଗ୍ରୀନ ଆମୋନିଆ କାରଖାନା, Silox India Private Limited ର ୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ୨୫ ହଜାର MPTA ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଆସିଲେ ମୋର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସେ । ୬୦ ମସିହାର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡିଶା ବିକାଶରେ ଏହା ମାଇଲଷ୍ଟୋନ ଥିଲା। ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ ହୋଇ ପାରିଛି। ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ଖୁସିର କଥା ଆଜି ଏଠାରେ JSW ର ମେଗା ଇସ୍ପାତ କାରଖାନା ପାଇଁ ଭିତ୍ତି ଦିଆଗଲା। ଏଥି ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରସାୟନିକ କାରଖାନା ପାଇଁ ମଧ୍ୟ ଭିତ୍ତି ଦିଆଗଲା। ଏ ସବୁ ଶିଳ୍ପାନୁଷ୍ଠାନ ଓଡିଶା ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିଛି। ତା ସହିତ ଏ ସବୁ ପ୍ରକଳ୍ପ ମାଧ୍ୟମରେ ୩୫ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଏ ସବୁ ପୁଞ୍ଜି ନିବେଶ କରୁଥିବା ଶିଳ୍ପପତିମାନଙ୍କୁ ଏଥି ପାଇଁ ଧନ୍ୟବାଦ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |