ଭୁବନେଶ୍ବର,୧୮।୨: ରାଜ୍ୟରେ ୧୮ଟି ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଚଳିତ ଶିକ୍ଷାବର୍ଷଠାରୁ ଏହି ଡିଗ୍ରୀ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ତାଙ୍କୁ ଅନୁରୋଧ କରିଥିଲେ, ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ।୨ ହଜାର ମସିହାରେ ଓଡ଼ିଶାର ୫୪୮ଟି ଡିଗ୍ରୀ କଲେଜ ଥିଲା। ଏବେ ୧ ହଜାର ୪୦ରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ବବିଦ୍ୟାଳୟ ଅଛନ୍ତି। କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଛି। ରାଜ୍ୟରେ ୨୧ଟି ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ଖୋଲିଛି। କଲେଜଗୁଡ଼ିକର ସ୍ଥାୟୀ ଭିତ୍ତଭୂମି ତିଆରି ହୋଇଥିବାରୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲାବରେଟୋରି ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦିର ଲାଭ ନେଇପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |