ଶମ୍ଭୁ ସୀମାରେ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ସମାଗମ

ନୂଆଦିଲ୍ଲୀ,,୨୧ା୨: ଏମ୍‌ଏସ୍‌ପି ନେଇ ସରକାରଙ୍କ ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଚାଷୀ ନେତାମାନେ ଏବେ ଜୋରଦାର ଆନ୍ଦୋଳନ ଧମକ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଓ ଲିଙ୍କ୍‌କୁ ସାମୟିକ ଭାବେ ଅଚଳ କରିଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନୁରୋଧରେ ସୋମବାର, ଆଇଟି ମନ୍ତ୍ରଣାଳୟ ଏହି ଆକାଉଣ୍ଟଗୁଡ଼ିକୁ ତୁରନ୍ତ ଅଚଳ କରିଥିବା ଜଣାଯାଇଛି। ଗତ ସପ୍ତାହରେ କେନ୍ଦ୍ର ଦେଶରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପଂଜାବ-ହରିୟାଣା ସୀମାରେ ହିଂସାତ୍ମକ କାର୍ଯ୍ୟକଳାପ ରୋକିବାକୁ ପଦକ୍ଷେପ ନିଆଯାଇଛି ।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ନେଇ ସରକାରଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବୁଧବାରଠାରୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନକୁ ଜୋରଦାର କରିବା ପାଇଁ ଚାଷୀ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇ ଶମ୍ଭୁ ସୀମାରେ ସମବେତ ହେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଶମ୍ଭୁରେ ଟ୍ରାକ୍ଟର-ଟ୍ରଲି ଦ୍ବାରା ହଜାର ହଜାର କୃଷକ ପହଞ୍ଚିସାରିଛନ୍ତି ଏବଂ ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଟ୍ରାଫିକ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ରାଜପୁରା ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କୃଷକମାନେ କେନ୍ଦ୍ରର ସର୍ତ୍ତ ନ ମାନି ଦିଲ୍ଲୀ ସୀମାରୁ ଜାତୀୟ ରାଜଧାନୀ ଅଭିମୁଖେ ଅଗ୍ରସର ହେବାରେ ଲାଗିଛନ୍ତି। ଚାଷୀ ନେତା ସରଓ୍ବନ୍‌ ସିଂ ପାନ୍ଧେର କହିଛନ୍ତି, କେନ୍ଦ୍ର ସରକାର ଏମ୍‌ଏସ୍‌ପି ସମ୍ପର୍କିତ ଆଇନ ପ୍ରଣୟନ ପାଇଁ ପାର୍ଲାମେଣ୍ଟର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡାକନ୍ତୁ। ସରକାର କୃଷିଋଣ ଛାଡ଼ ସମେତ ମୁଖ୍ୟ ଦାବିଗୁଡ଼ିକ ମାନିନେବା ଉଚିତ। ଇତିମଧ୍ୟରେ କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଏମ୍‌ଏସ୍‌ପି ପାଇଁ ଓକିଲାତି କରିଥିଲେ। ଏବେ ସେ ପଛଘୁଞ୍ଚା ଦେଉଛନ୍ତି। କେବଳ ଏତିକି ନୁହେଁ, ଆନ୍ଦୋଳନରତ ଚାଷୀଙ୍କ ସ୍ବରକୁ ଚପାଇଦେବା ପାଇଁ ସରକାର ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ୍‌ କରିବା ଦୁର୍ଭାଗ୍ୟଜନକ। କୃଷକମାନଙ୍କୁ ଦେଶ ବିରୋଧୀ ଆଖ୍ୟା ଦିଆ ନ ଯାଉ। ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବାକୁ ଦିଆଯାଉ ବୋଲି ଖେରା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!