ରାଜାରାଣୀଙ୍କ ସହ ରଙ୍ଗ ଖେଳିଲେ ୧୦ ହଜାର ଲୋକେ

ରାଜକନିକା,୨୭ ।୩: ରାଜା ଆଉ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରେମ ପ୍ରୀତିର ସହିତ ଫଗୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ଏହି ମେଲଣରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ୧୦ହଜାରରୁ ଅଧିକ ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳିଥିଲେ । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, କାହାଳୀ, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । କୃଷ୍ଣ ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ଭାବରେ ମଜି ଯାଆନ୍ତି ଭକ୍ତ । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି । ଏହି ଉତ୍ସବରେ ସାଧାରଣ ଜନତା ନିଆରା ଢ଼ଙ୍ଗରେ ରାଜାରାଣୀଙ୍କ ସହିତ ରଙ୍ଗ ଖେଳିବାର ମଜା ନେଇଛନ୍ତି । ପାଂଚ ଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଲଣ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ରାଜ ମେଲଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ ଚାହିଁ ରହିଥାନ୍ତି । ୬୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ରାଜପ୍ରାସାଦର ଆଗରେ ପ୍ରଭୁ ରାଧାକାନ୍ତ ଜୀଉ, ବାବା ନୃସିଂହନାଥ ଜୀଉ ରାଧାକାନ୍ତ ଜୀଉ, ଶିବଲାଲା ଜୀଉ, ରାଧାମୋହନଜୀଉ, ବୃନ୍ଦାବନଜୀଉ, ଗୋପାଳ ନାରାୟଣଜୀଉ, ଲଛମନଜୀଉ,ରାଜଗୁରୁଜୀଉ,କୋଟିବ୍ରହ୍ମାଣ୍ଡଜୀଉ, ରଘୁନାଥଜୀଉ, ରାହାସବିହାରୀ ଜୀଉ, ନନ୍ଦଲାଲ ଜୀଉ, ଗୋପାଳ ଜୀଉ, ଦଧିବାବନ ଜୀଉ, ରାଧାମାଧବ ଜୀଉ, ବିରାଲାଲ ଜୀଉ, ଜୟକୃଷ୍ଣ ଜୀଉ ଏବଂ ପତିତ ପାବନ ଜୀଉ ପ୍ରଭୃତି ବିମାନରେ ଅତି ଭାବମୟ ପରିବେଶରେ ଚିତାକର୍ଷକ ଶୋଭାଯାତ୍ରାରେ ମେଲଣ ପଡ଼ିଆକୁ ଆସିଥିଲେ । ଏହା ପରେ ସମସ୍ତ ଠାକୁର ବିମାନରେ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରିଥିଲେ । ରାଜା ଏବଂ ରାଣୀ ରାଧାକୃଷ୍ଣଙ୍କ ପୂଜା କରି ଚଅଁର ସେବା କରିଥିଲେ । ମେଲଣ ପଡ଼ିଆରେ ସମସ୍ତ ବିମାନରେ ରାଧାକୃଷ୍ଣଙ୍କୁ ଦର୍ଶନ କରି ଭୋଗ ଲାଗାଇଥିଲେ । ପୂର୍ବ ପରମ୍ପରା ଅନୁଯାଇ ମେଳଣ ଶେଷ ହେବା ପରେ ରାତିରେ ଗୋପାଳଜୀଉ, ରାସବିହାରୀ ଜୀଉ ଏବଂ ପ୍ରଭୁ ରାଧାକାନ୍ତ ଜୀଉଙ୍କ ଭେଟ ଭାଟ ଅନୁଷ୍ଠିତ ହୋଇଥିଲା । ଭଜନ କୀର୍ତ୍ତନରେ ଶେଷ ହୋଇଥିଲା ହୋଲିକା ଦହନ । ମେଲଣ ପଡ଼ିଆରେ ରାଜାରାଣୀ ପୂର୍ବପରମ୍ପରା ଅନୁଯାଇ ମେଣ୍ଢା ଗୁହାଳରେ ଅଗ୍ନି ସଂଯୋଗ କରିଥିଲେ । ବଡ଼ାଗର ପ୍ରଭୁ ଗୋପିନାଥଜୀଉ ଚଳିତ ବର୍ଷ ମେଲଣକୁ ଆସିପାରିନଥିବାର ଭକ୍ତଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!