ପ୍ରଧାନ ବିଚାରପତିଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି

ନୂଆଦିଲ୍ଲୀ,୨୯ା୩:ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ବ୍ୟବସ୍ଥାର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୬୦୦ରୁ ଅଧିକ ବରିଷ୍ଠ ଆଇନଜୀବୀ।ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଦେଶର ୬୦୦ ଆଇନଜୀବୀ ଏକ ପତ୍ର ମାଧ୍ୟମରେ ଦେଶରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟାଳୟର ନିର୍ଦ୍ଦେଶକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରୁଥିବା ଜଣାଇଛନ୍ତି। ବିଶେଷ ଭାବେ ଯେଉଁ ମାମଲାରେ ନେତା କିମ୍ବା ଭ୍ରଷ୍ଟାଚାର ଅଭିଯୁକ୍ତ ସାମିଲ ଅଛନ୍ତି, ସେହି ମାମଲାରେ ଏଭଳି ଘଟୁଥିବା ସେମାନେ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇଛନ୍ତି। ଏହା ଲୋକତନ୍ତ୍ର ଏବଂ ନ୍ୟାୟିକ ପ୍ରକ୍ରିୟା ପାଇଁ ବିପଦ ବୋଲି ପତ୍ରରେ କୁହାଯାଇଛି।ଏହି ଚିଠି ଲେଖିଥିବା ଆଇନଜୀବୀଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ର, ହିତେଶ ଜୈନ , ପିଙ୍କି ଆନନ୍ଦଙ୍କ ପରି ବରିଷ୍ଠ ଏବଂ ନାମୀଦାମୀ ଆଇନଜୀବୀ ରହିଥିଲା ବେଳେ ଏକ ନିର୍ଦ୍ଦିଷ୍ଟ ଏବଂ ସ୍ବତନ୍ତ୍ର ଗୋଷ୍ଠୀ କୋର୍ଟ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଚାପ କୌଶଳ ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି।ବିଶେଷକରି ରାଜନୀତିକ କ୍ଷେତ୍ର କିମ୍ବା ଦୁର୍ନୀତି ଅଭିଯୋଗରେ ଜଡ଼ିତ ଥିବା ରାଜନେତାଙ୍କ କ୍ଷେତ୍ରରେ ଏହାର ଚାପ ଅଧିକ ରହିଥିବା ସେମାନେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସ୍ବତନ୍ତ୍ର ଗୋଷ୍ଠୀର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ଏବଂ ନ୍ୟାୟିକ ବ୍ୟବସ୍ଥାକୁ ନେଇ ରହିଥିବା ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି। ଏପରିକି ‘ବେଞ୍ଚ ଫିକ୍ସିଂ’ ପାଇଁ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏକ ସିଦ୍ଧାନ୍ତ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଅପମାନ ନୁହେଁ ; ବରଂ ସମ୍ମାନ ଉପରେ ଆକ୍ରମଣ ବୋଲି ସେମାନେ କହିଛନ୍ତି। ରାଜନୈତିକ ଏଜେଣ୍ଡା ରଖୁଥିବା ଏହି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନ୍ୟାୟପାଳିକା ଉପରେ ଚାପ ପକାଇ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରି କୁତର୍କ ମାଧ୍ୟମରେ ନିରାଧାର ଅଭିଯୋଗ ଆଣି ଲୋକ ଲୋଚନରେ ଅଦାଲତଙ୍କୁ ଅପନିନ୍ଦିତ କରାଇବାକୁ ଉଦ୍ୟମ କରୁଛନ୍ତି। ନ୍ୟାୟପାଳିକାର ସଂହତି, ନିରପେକ୍ଷତା ଏବଂ ସର୍ବୋପରି ପବିତ୍ରତା ପ୍ରତି ସନ୍ଦେହ ସୃଷ୍ଟି କରାଯାଉଥିବାରୁ ଏହି ଆଇନଜୀବୀମାନେ ଉଦବେଗ ପ୍ରକାଶ କରି ସିଜେଆଇଙ୍କୁ ଏହି ଚିଠି ଲେଖିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!