ଜଳୁଛି ଓଡ଼ିଶା ,୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୩:ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।ଗତ ୩ ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ପହିଲି ଚୈତ୍ରରୁ ରାଜ୍ୟର ତାପମାତ୍ରା ୪୦ ଛୁଇଁଛି। ଗୋଟିଏ ଦିନରେ ଗତକାଲି ଏକାବେଳେ ୫ ଟି ସହରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବୈଶାଖରେ ତାତି ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ଫଳରେ ରାଜ୍ୟବାସୀ ଏପ୍ରିଲ ମାସରେ ତାତି ଓ ଗୁଳୁଗୁଳିରେ ସିଝିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ଟିଟିଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ ସହରର ତାପମାତ୍ରା ୪୦ରେ ପହଞ୍ଚିଛି ।ରାଜ୍ୟରେ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକେରେ ଚଳିତ ଗ୍ରୀଷ୍ମ ଋତୁର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଏଥିପାଇଁ ଏହି ବୈଠକରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଓ ଗୁଳୁଗୁଳି ଜନିତ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ କୁହାଯାଇଛି ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ସ୍ଥାନରେ ତାପମାତ୍ରା ୩୮-୪୦ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬-୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ସେହିପରି ତାପମାତ୍ରା ସହିତ ଉପକୂଳ ଓଡ଼ିଶାରେ ୫୦-୭୦ ପ୍ରତିଶତ ଆର୍ଦ୍ରତା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୩୦-୫୦ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ତେଣୁ ତାତି ଓ ଗୁଳୁଗୁଳିରେ ଲୋକେ ଅସହଜ ଅନୁଭବ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସକାଳ ୧୦ ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ବାହାରୁ ଥିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!