୬ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  କଂଗ୍ରେସ । ୬ ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ କଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରଙ୍କୁ ବହିଷ୍କାର ନେଇ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଛି ଏଆଇସିସି ।ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ୩ଧାଡ଼ିଆ ପ୍ରେସ୍ ରିଲିଜରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତଧକ୍କା ହୋଇଛି । କଂଗ୍ରେସରେ ରହି ନିଜ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବାର ଫର୍ମୂଲା ମଧ୍ୟ ସୁରଙ୍କ ଫେଲ ମାରିଛି । ଏପଟେ କଂଗ୍ରେସ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ।ଭୁବନେଶ୍ୱର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ପ୍ରଚାର କରିବାରୁ ସୁରଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଥିଲା ।ତେବେ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ସୁର ରାଉତରାୟ କହିଥିଲେ, ସେ କୌଣସି ଦଳ ପାଇଁ ପ୍ରଚାର କରିନି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ସେ କଂଗ୍ରେସ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଛନ୍ତି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ବୋଲି ମଧ୍ୟ କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!