ଆଜି ପବିତ୍ର ଅକ୍ଷୟ ତୃତୀୟା ,ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି ଏହି ମହାନ୍‌ କୃଷିଭିତ୍ତିକ ପର୍ବ। ଏହି ଦିବସର ଗୁରୁତ୍ୱକୁ ଉପଲବ୍ଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମେ ୧୦ ତାରିଖ ଶୁକ୍ରବାର ଆମ ରାଜ୍ୟ ତଥା ଦେଶରେ ଏହି ମହାନ୍‌ କୃଷିଭିତ୍ତିକ ପର୍ବ ‘ଅକ୍ଷୟତୃତୀୟା’ ଉତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଉଛି। ଏହି ଉପଲକ୍ଷେ ସକାଳେ ଭୂମିପୂଜା, ଅଖିମୁଠି ଅନୁକୂଳ, ଭଜନ କୀର୍ତ୍ତନ ସଭା ଓ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି।ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ଦିନିଆ ଚନ୍ଦନ ଯାତ୍ରା। ଏହାସହ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନି ରଥ ନିର୍ମାଣ ଲାଗି ଆଜି ରଥକାଠ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଛି। ଅପରାହ୍ନ ସାଢେ ୩ଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ବିମାନ ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ।ଅନ୍ୟପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ନ ୪ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ସୁବର୍ଣ୍ଣ କୁରାଢୀରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବା ନେଇ ସୂଚନା ମିଳିଛି। ଚଳିତ ଥର ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!