ପୁରୀରେ ମୋଦିଙ୍କ ରୋଡ୍‌ ଶୋ’

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି।ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚଥିବା ପ୍ରଧାନମନ୍ତ୍ରୀ ମୋଦି ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳ ୭ଟା ସୁଦ୍ଧା ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ସିଧାସଳଖ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପୂର୍ବାହ୍ନ ୮ଟା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ।ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିବା ଅସମ୍ଭବ ଭିଡ଼ । ବଡ଼ ଦାଣ୍ଡ ପାଲଟି ଯାଇଥିଲା ଜନ ସମୁଦ୍ର। ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ବି ରୋଡ ଶୋ’ରେ ସାମିଲ ହୋଇଥିଲେ । ମୁହଁରେ ମୋଦିଙ୍କ ମୁଖା ତଥା ହାତରେ ମୋଦିଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମୋଦି ମୋଦି ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୩ ଏସ୍‌ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି। ଏଥିସହ ୮ ଜଣ ଆଡିସିନାଲ୍‌ ଏସ୍‌ପି, ୨୨ ଜଣ ଡିଏସ୍‌ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍‌ ଇନ୍ସପେକ୍ଟର, ୩୪ ଜଣ ହାବିଲ୍‌ଦାର, ୨୦୨ ଜଣ କନ୍‌ଷ୍ଟେବଲ, ୨୫୦ ହୋମ୍‌ଗାର୍ଡ ଆଦି ନିୟୋଜିତ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଥିଲା। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!