ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୬।୪:-ମଶାଣିରେ ପୁଅର ସମାଧିକୁ ଜଗିଛନ୍ତି ବାପା । ସପ୍ତାହେ ହେଲା ଦିନରାତି ସେଠାରେ ପହରା ଦେଉଛନ୍ତି । ତନ୍ତ୍ର ସାଧନା ପାଇଁ କାଳେ କିଏ କବର ଖୋଳି ୪ ବର୍ଷ ପୁଅର ହାଡ଼କଙ୍କାଳ ନେଇଯିବ, ସେହି ଭୟ ଘାରିଛି ତାଙ୍କୁ । ୨୧ ଦିନ ପର୍ଯ୍ୟନ୍ତ ପୁଅର ସମାଧି କୁ ଜଗିରହିବେ ବୋଲି କହିଛନ୍ତି ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ହଳଦୀ ଗାଁର ରାଜେଶ ନାଗ ।ଏହି ଘଟଣା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଶିଶୁପୁତ୍ର ଭୋଳାନାଥ ଗତ ୧୯ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ସଂଗେ ସଂଗେ ତାକୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ପୁଅର ଶବକୁ ପାଖ ମଶାଣିରେ ସମାଧି ଦେଇଥିଲେ ପରିବାର । ତାକୁ ଯେମିତି କେହି ଖୋଳିପାରିବେ ନାହିଁ, ସେଥିପାଇଁ ପୋତାଯାଇଥିବା ସ୍ଥାନକୁ ସିମେଣ୍ଟ କରାଯାଇଛି । ବିଜ୍ଞାନ ଯୁଗରେ ବି ଗାଁଗଣ୍ଡାର ଲୋକେ ତନ୍ତ୍ରସାଧନା ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଛନ୍ତି । ଏହି ଘଟଣାକୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ନିଆଯାଇପାରେ ।ମଶାଣିରେ ପୁଅର ସମାଧିକୁ ଜଗିଥିବା ବାପା ରାଜେଶ କହିଛନ୍ତି। ଏହାକୁ ୨୧ ଦିନ ପର୍ଯ୍ୟନ୍ତ ଜଗିବାକୁ ପଡ଼ିଥାଏ । ବିଶ୍ୱାସ ରହିଛି, ସମାଧି ଦିଆଯିବାର ୨୧ ଦିନ ଭିତରେ ତନ୍ତ୍ରସାଧନା ପାଇଁ କେହି ତାନ୍ତ୍ରିକ ଏହାକୁ ଖୋଳିପାରେ । ଶବକୁ ସାଧନା କାମରେ ଲଗାଇପାରେ । ଏହି କାରଣରୁ ସେ ପୁଅର ସମାଧି କୁ ୨୧ ଦିନ ପର୍ଯ୍ୟନ୍ତ ଜଗିବେ ବୋଲି ସ୍ଥିର କରିଛନ୍ତି । ଜଣେ ସଂପର୍କୀୟ ଭାଇ ସହିତ ଦିନରାତି ମଶାଣିରେ ବସି ରହୁଛନ୍ତି ରାଜେଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |