ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୮।୫:-ଦିନେ ଗାଁ ଗଣ୍ଡାରେ ବସବାସ କରୁଥିବା ସମ୍ଭ୍ରାନ୍ତ ତଥା ସାହୁକାର ଶ୍ରେଣୀର ମୁଖ୍ୟ ପରିଚୟ ଥିଲା ଶଗଡ଼ ଗାଡି |ଗାଁ ଠାରୁ ସହର ପର୍ଯ୍ୟନ୍ତ ଶଗଡ଼ର ବହୁଳ ବ୍ୟବହାର ଦେଖିବାକୁ ମିଳୁଥିଲା |ପୂର୍ବରୁ ଲୋକଙ୍କ ପାଇଁ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ପତ୍ର ଅର୍ଥାତ ମାଲ ପରିବହନ ପାଇଁ ଏକ ମାତ୍ର ମାଧ୍ୟମ ଥିଲା ଶଗଡ଼ ଗାଡି |ସେତେବେଳେ ଗାଁ ଗଣ୍ଡାର ଅଧିକାଂଶ ଘରେ ଶଗଡ଼ ଗାଡି ଥିବା ଦେଖିବାକୁ ମିଳୁଥିଲା |କିନ୍ତୁ ବିଜ୍ଞାନ ର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ମଣିଷ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଥିବା ଶଗଡ଼ ଗାଡି ଅଲୋଡ଼ା ହୋଇ କ୍ରମଶଃ ବିଲୁପ୍ତ ପାଇବାରେ ଲାଗିଛି ଓ ଶଗଡ଼ ଗାଡିର କେଁ କଟର ଧ୍ୱନି କେବେ ଠାରୁ କାଳର କରାଳ ଗର୍ଭରେ ହଜି ଗଲାଣି |କାଠରେ ନିର୍ମିତ ଓ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଆଧୁନିକତାର ଛାପରେ ବେଶ ଅଲୋଡ଼ା ହୋଇ ପଡିଛି |ପାୱାର ଟିଲର, ଟ୍ରାକ୍ଟର ଆଦି ଆଧୁନିକ କୃଷି ଭିତ୍ତିକ ଯନ୍ତ୍ରରେ ଚାଷକାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି।ସେହିପରି ପୂର୍ବରୁ ଯାନୀଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା, ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡିର ବ୍ୟବହାର ହେଉଥିଲା | କିନ୍ତୁ କମ ସମୟ ମଧ୍ୟରେ ଯାତାୟାତ ପାଇଁ ବାଇକ, କାର, ବସ ଭଳି ଯାନବାହାନର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡି ଯାତ୍ରୀ ପରିବହନ ପାଇଁ ଆଦ୍ୟୋ ବ୍ୟବହାର ହେଉନାହିଁ |କାଁ ଭାଁ ଗ୍ରାମାଞ୍ଚଳରେ ଗରିବ,ଆର୍ଥିକ ଦୁର୍ବଳ ଓ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନକ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଲୁଛି |ବହୁବର୍ଷ ପୂର୍ବରୁ ଲୋକେ ବ୍ୟବହାର କରୁଥିବା ଶଗଡ଼ ଗାଡ଼ି ଏବଂ ଏଥିରେ ଲାଗିଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡରେ ପଡିଛି ତ କେଉଁଠି ପିଣ୍ଡାରେ ଅଜାଡି ହୋଇ ଧୂଳି ଜମାଟ ବାନ୍ଧି ପରିତ୍ୟକ୍ତ ଅବସ୍ଥାରେ ପଡି ଅତୀତର ସ୍ମୃତିକୁ ଜାହିର କରୁଛି |ଏଭଳି ବିରଳ ଚିତ୍ର ଅତ୍ୟାଧୁନିକ ହାଇଟେକ ସଂସ୍କୃତିର ନୂତନ ପିଢିଙ୍କ ମନରେ ଜିଜ୍ଞାସା ଭାବ ସୃଷ୍ଟି କରୁଛି |କାରଣ ଶଗଡ଼ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଉପଯୁକ୍ତ କାଠ ଏବେ ସୁଲଭ ମୂଲ୍ୟରେ ମିଳୁନାହିଁ |ବଳଦ ଚରାଇବା ପାଇଁ ଲୋକଙ୍କ ଅଭାବ ତଥା ସରକାର କିମ୍ବା ସାମାଜିକ ସ୍ତରରେ ସେମିତି ଶଗଡ଼ ଗାଡ଼ିର ବ୍ୟବହାର ପାଇଁ କୌଣସି ପ୍ରୋତ୍ସାହନ ରାଶି ମିଳୁନାହିଁ |ଫଳରେ ଲୋକେ ଶଗଡ଼ ଗାଡ଼ି ଉପରେ ନିର୍ଭରଶୀଳ ନହୋଇ ଟ୍ରାକ୍ଟର, ପାୱାରଟିଲାର ଓ ହାରଭେଷ୍ଟର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି |ତେଣୁ ଶଗଡ଼ ଗାଡ଼ିର ଚାହିଦା ଗାଁ ଠାରୁ ସହର ପର୍ଯ୍ୟନ୍ତ କାଁ ଭାଁ ଦେଖିବାକୁ ମିଲୁଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |