ଆଜି ଚାପ ଖେଳିବେ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ

ପୁରୀ,୨୯।୫:ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ, ଚକ ସହ ତିନୋଟି ଅଖ ଡେରାଯାଇଛି । ଯାହାକୁ ଚକଅଖ ଡେରା ନୀତି କୁହନ୍ତି । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି । ଶ୍ରୀମନ୍ଦିରରେ ସକାଳଧୂପ ବଢ଼ିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରିବେ। ଏହାପରେ ଆହୁରି ଦ୍ରୁତ ଗତିରେ ଆଗେଇବ ରଥ ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ୍ ୪୨ଟି ଚକରୁ ୨୦ଟି ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୬ଟି ଲେଖାଏଁ ଯୋକା ଓ ଦେବୀ ରଥର ୧୨ଟି ଯୋକା ନିର୍ମାଣ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି ଯୋକା ସବୁ ରଥ କୋଣରେ ସ୍ଥାପନ ହେବା ପରେ ଚାରିପଟେ ଠେକାର ବାଡ ବୁଲିବ।ତିନି ରଥର ମହାରଣା ସେବକମାନେ ମାପ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି। ମହାରଣା ସେବକମାନେ ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲା ପରେ ତିନି ରଥର ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ କରିଛନ୍ତି। ପଇରେ ବିଲେଇ ବାଡିଆ ହୋଇ ପଇ କଳସା ଜାରି ରହିଛି। ରଥ ଖଳାରେ ସ୍ଥାନାଭାବ ଯୋଗୁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନଥିବାରୁ ଉପଯୁକ୍ତ ସ୍ଥାନ ଖୋଜା ଚାଲିଛି। ପରମ୍ପରା ପ୍ରକାରେ ଆସନ୍ତାକାଲି ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ।ସେପଟେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଶ୍ରୀକ୍ଷେତ୍ରରେ ଶ୍ରୀରାମ କୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ 21 ବାର ଚାପ କ୍ରୀଡା କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!