ଆଜି ଠାରୁ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଆରମ୍ଭ

 ପୁରୀ, ୩୧।୫:ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନ ଯାତ୍ରା ଶେଷ ପରେ ଆଜି ନରେନ୍ଦ୍ର ପୁଷ୍କରିଣୀରେ ହଳଦି ପାଣି ଖେଳ ଶେଷ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ନରେନ୍ଦ୍ରରେ ରାତିରେ ଦିନ ଚାପ ଖେଳିବା ପରେ ହଳଦି ପାଣି ଖେଳି ବାହୁଡ଼ିଛନ୍ତି। ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ।ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ ସ୍ନାନପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚୁପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଅନୁଷ୍ଠିତ ହୋଇଥାଏ।ଗୁରୁବାର (ଗତକାଲି) ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ହଳଦୀପାଣି ନୀତି ସରିବା ପରେ ଆଜିଠାରୁ ଶ୍ରୀଜୀଉ ମାନଙ୍କର ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହି ୨୧ ଦିନ ମହାପ୍ରଭୁଙ୍କ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!