ଆଜି ଆସିବ ଫଳାଫଳ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି।ଆଜି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଆସିବ । ଭୋଟ୍ ଗଣତି ପାଇଁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୭୦ଟି ଭୋଟଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ୩୫୮୯ଟି ଟେବୁଲରେ ଏହି ଗଣତି ହେବ । ରାଜ୍ୟର ପ୍ରାୟ ଅଢ଼େଇ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଥର ପୁରୁଷଙ୍କ ତୁଳନାରେ ୨ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ  ଗଣତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଦେଇଥିଲେ ଯେ, ରାଜ୍ୟରେ ମୋଟ ୭୦ଟି ଭୋଟ୍ ଗଣତି କେନ୍ଦ୍ରରେ  ଭୋଟ ଗଣନା ହେବ । ପୋଷ୍ଟାଲ ବାଲାଟ୍ ପାଇଁ କେବଳ ଛତ୍ରପୁରରେ ଗୋଟିଏ ସ୍ୱତନ୍ତ୍ର ଭୋଟଗଣତି କେନ୍ଦ୍ର ରହିବ । ବାକି ୬୯ଟି କେନ୍ଦ୍ରରେ ଉଭୟ ଇଭିଏମ୍ ଓ ପୋଷ୍ଟାଲ ବାଲାଟ ଗଣନା ହେବ । ଏସବୁ କେନ୍ଦ୍ରରେ ବିଧାନସଭା ନିମନ୍ତେ ୧୭୯୯ଟି ଗଣନା ଟେବୁଲ ଓ ଲୋକସଭା ପାଇଁ ୧୭୯୦ଟି ଟେବୁଲରେ ଗଣନା ହେବ । କେବଳ ୮ଟି ବିଧାନସଭା କ୍ଷେତ୍ରକୁ ବାଦ୍ ଦେଲେ ବାକି ୧୩୯ଟି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ଗଣତି ହେବ । ଚିତ୍ରକୋଣ୍ଡା, ବିଷମକଟକ, ମୋହନା,ଲୋଇସିଂହା, ରାଇରଙ୍ଗପୁର, ସାରସକଣା, ଆଳ ଓ ପାଟକୁରା ବିଧାନସଭା ଆସନରେ ୩୦ରାଉଣ୍ଡରୁ ଅଧିକ ଗଣତି ହେବ ।ଚଳିତଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ବିଧାନସଭା ପାଇଁ ମୋଟ ୧.୪୬ଲକ୍ଷ ଭୋଟ୍ ଓ ଲୋକସଭା ପାଇଁ ୧.୪୭ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ବୃଦ୍ଧି ପାଇଛି । ୨୦୧୯ରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ୭୪.୪୪% କୁ ବୃଦ୍ଧି ପାଇଛି । ୨୦୨୪ ସାଧାରଣ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭% ଓ ମହିଳା ମତଦାନ ହାର ୭୫.୫୫% ରହିଛି । ଯାହାକି ପୁରୁଷ ଭୋଟର ତୁଳନାରେ ପ୍ରାୟ ୨ ପ୍ରତିଶତ ଅଧିକ । ଚଳିତଥର ରାଜ୍ୟର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି । ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି । ସର୍ବାଧିକ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ ମତଦାନ ହାର ହ୍ରାସ ପାଇଛି ।ମତଦାନ ହାର ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ରହିଛି। ଭୋଟର ହେଲପଲାଇନ୍ ଆପ୍ ମାଧ୍ୟମରେ ବି ଫଳାଫଳ ଜାଣିହେବ ବୋଲି ଶ୍ରୀ ଧଳ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!