ଭୁବନେଶ୍ୱର, ୬।୬:ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା।ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ ।ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସ୍ବାଧୀ ନାରୀଙ୍କର ଆଦର୍ଶ; ତେଣୁ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ପିନ୍ଧିଥାନ୍ତି। ଏହାପରେ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର, ବ୍ରତ,ଧୂପକାଠି, କାଠପାନିଆ, କଳାମାଳି, ଆଇନା ଆଦିକୁ ଥାଳିରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ ସ୍ତ୍ରୀଲୋକମାନେ ଏକତ୍ର ହୋଇ ତୁଳସୀ ଚଉଁରା ମୂଳେ ପୂଜା କରିଥାନ୍ତି। ଆଉ କେତେକ ସ୍ଥାନରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରାଇଥାନ୍ତି। ଘରେ ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ, ନୂତନ ବସ୍ତ୍ର ଅଳଙ୍କାରରେ ସଜାଇ ଦେବୀ ସାବିତ୍ରୀ ରୂପେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି।ପୂଜା ହୋଇଥିବା ଶାଢ଼ି, ସିନ୍ଦୂର, ଶଙ୍ଖା ଓ ବ୍ରତକୁ ପିନ୍ଧି ସ୍ବାମୀଙ୍କୁ ଫୁଲ, ଚନ୍ଦନ ଦେଇ ପୂଜା କରନ୍ତି ଏବଂ ଶେଷରେ ସ୍ବାମୀଙ୍କ ଚରଣ ଛୁଇଁ ପ୍ରଣାମ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ ଜୀବନର କାମନା କରିବା ସହ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି ।ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |