ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ବର,୮ା୬:ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି।ଚଳିତ ବର୍ଷ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି। ଏହା ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବେଶ କରିବ ।ପ୍ରବଳ ଗରମ ହେତୁ ଗତ କିଛି ଦିନ ହେବ ରାଜ୍ୟବାସୀ କଲବଲ ହେଉଛନ୍ତି। ଏଥିରୁ ମୁକ୍ତି ପାଇବାକୁ ସେମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ । ତେଣୁ ଏଥର ସମସ୍ତେ ଆନନ୍ଦର ସହ ରଜ ପର୍ବ ପାଳନ କରିବେ ବୋଲି ପୂର୍ବାନୁମାନ ହେଉଛି।  କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ମୌସୁମୀ ଖୁବ୍‌ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ । କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। ତେଣୁ ଚାଷୀମାନେ ବି ଆଶ୍ୱସ୍ତ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!