ଭୁବନେଶ୍ୱର,୨୧।୬ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାରି ପ୍ରଭାବରେ ସାରା ଓଡିଶାରେ ବଢିବ ବର୍ଷାର ପରିମାଣ । ମୌସୁମୀକୁ ସକ୍ରିୟ କରାଇବ ସାମ୍ଭାବ୍ୟ ଲଘୁଚାପ ।ସେପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଆଉ କିଛି ଜିଲ୍ଲାକୁ ପ୍ରବେଶ କରିଛି। ଗତ ଜୁନ ୮ରେ ମୌସୁମୀ ବାୟୁ ପ୍ରଥମେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁଥିଲା। ତେବେ ପ୍ରତିକୂଳ ପାଣିପାଗ ହେତୁ ଦୀର୍ଘ ୧୧ ଦିନ ଧରି ଅଗ୍ରସର ହୋଇପାରିନଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ , ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିଛି ମୌସୁମୀ ବାୟୁ। ଧୀରେ ଧୀରେ ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ଅନୁକୂଳ ରହିଛି। ପୂର୍ବରୁ ମୌସୁମୀ ମାଲକାନଗିରି, କୋରାପୁଟ, ନବରଗଙ୍ଗପୁର ଜିଲାକୁ ଛୁଇଁଥିବାବେଳେ ଗୁରୁବାର କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲାକୁ ପ୍ରବେଶ କରିଛି। ୨ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲାକୁ ଅଗ୍ରସର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗୁରୁବାର ଅନୁଗୋଳ, ବାରିପଦା, ବୌଦ୍ଧ, ଝାରସୁଗୁଡ଼ା ଆଦି ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଆଗାମୀ ୩ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ଦେବଗଡ଼ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି, ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ଆହୁରି ଅନେକ ଅଞ୍ଚଳ କୁ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଣିପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ କେତେକାଂଶରେ ମେଘୁଆ ରହିବା ସହ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆଜି ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |