ଆସନ୍ତା ୨୨ ତାରିଖରେ ସ୍ନାନଯାତ୍ରା:ଛତିଶା ନିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ , ୨୧ା୬ :ଆସନ୍ତା ୨୨ ତାରିଖରେ ସ୍ନାନଯାତ୍ରା। ଏହି ଅବସରରେ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ। ଶ୍ରୀବିଗ୍ରହମାନେ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ। ତେବେ ମହାପ୍ରଭୁ ସ୍ନାନବେଦିକୁ ପହଣ୍ଡି ହୋଇ ଯିବା ପୂର୍ବରୁ ସେନାପଟାଲାଗି ସମେତ ବିଭିନ୍ନ ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଦଇତାପତି ସେବକମାନେ ସମ୍ପାଦନ କରିଥାନ୍ତି। ଏହି ଗୁପ୍ତ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ତେଣୁ ୨୦ ତାରିଖ ଅର୍ଥାତ୍‌ ଗୁରୁବାର ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର ୧୨ଟାରୁ ୨୧ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୁପ୍ତନୀତି ସମ୍ପାଦନ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷର ରଥଯାତ୍ରା ଏକ ବିରଳ ସଂଯୋଗ। ୫୩ ବର୍ଷ ପରେ ୧୫ ଦିନ ବଦଳରେ ୧୩ ଦିନରେ ଅଣସର ପଡ଼ୁଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏଣୁ ଚଳିତବର୍ଷର ରଥଯାତ୍ରା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଛତିଶା ନିଯୋଗର ସହଯୋଗ ଲୋଡ଼ିଛନ୍ତି। ଯେହେତୁ କମ୍‌ ସମୟ ଭିତରେ ଏତେ ନୀତିକାନ୍ତି ରହିଛି, ଏହାକୁ ଶୃଙ୍ଖଳିତ ଭାବେ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଛତିଶା ନିଯୋଗର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।ଖବର ଅନୁଯାୟୀ, ନୀତିନିର୍ଘଣ୍ଟ ସୂଚୀ ଅନୁସାରେ ମଙ୍ଗଳାର୍ପଣ ଭୋର ୩ଟା ୩୦ରୁ ଆରମ୍ଭ ହୋଇ ପରେ ପୁଷ୍ପାଞ୍ଜଳି ଏବଂ ଡୋରଲାଗି ନୀତି ହୋଇ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ଆରମ୍ଭ ୪ଟା ରୁ ୬ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ବିଭିନ୍ନ ପ୍ରକାରର ନୀତି ମଙ୍ଗଳ ଆଳତି, ତଡପ ଲାଗି, ମଇଲମ, ଦ୍ୱାରପାଳ ପୂଜା ସୂର୍ଯ୍ୟ ପୂଜାର ସମ୍ପନ୍ନ ହେବ । ପୂଜାବିଧି ପରେ ଶ୍ରୀଜୀଉମାନଙ୍କୁ ଶହେ ଆଠ ଗରା ସୁଗନ୍ଧିତ ଜଳରେ ରୀତିନୀତି ଅନୁସାରେ ସ୍ନାନ କରାଯିବ । ଶହେ ଆଠ ଗରା ସୁବାସିତ ଜଳରୁ ବଡ ଠାକୁରଙ୍କର ୩୩ ଗଡା, ମହାପ୍ରଭୁଙ୍କ ୩୫ ଗରା, ମା ସୁଭଦ୍ରାଙ୍କର ୨୨ ଗରା ଏବଂ ସୁଦର୍ଶନଙ୍କ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ ।ସେହିପରି ରୀତିନୀତି ଅନୁସାରେ ଦିନ ୧.୫୦ ଘଟିକା ସୁଦ୍ଧା ମଇଲମ, ମେକାପ ସର୍ବାଙ୍ଗ, ନୂତନ ଲୁଗା ପରିଧାନ ହେବ । ପରେ ଛେରାପହଁରା ସହ ହାତୀବେଶ ଦର୍ଶନ ୨ ଘଟିକା ସମୟରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସହାଣାମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ ଦେବେ । ରାତି ୧ଟାରୁ ୧.୩୦ ପର୍ଯ୍ୟନ୍ତ ରାହୁରେଖା ମଇଲମ ଏବଂ ସୁନା ଚିତା କାର୍ଯ୍ୟକ୍ରମ ରହିଛି । ଏହା ପରେ ଦିଅଁଙ୍କ ହାତୀବେଶ ପାଇଁ ପ୍ରତିବର୍ଷ ପରି ରାଘବଦାସ ମଠରୁ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ କିଛି ସାମଗ୍ରୀ ପ୍ରସ୍ତୁତ ଚାଲିଛି । ମହାପ୍ରଭୁଙ୍କ ଏହି ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ଚାରି ପାଖରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଥିସହ ୪ କମାଣ୍ଡର, ଏସପିଙ୍କ ସହ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!