ଭୁବନେଶ୍ୱର,୨୨।୬:ଓଡ଼ିଶାର ୨୪ ଜିଲ୍ଲାକୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ବାକି ୬
ଜିଲ୍ଲାରେ ମୌସୁମୀ ବାୟୁ ଛୁଇଁନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଶୁକ୍ରବାର ସୁଦ୍ଧା ସବୁ ଜିଲାକୁ ମୌସୁମୀ ଛୁଇଁବା ପରେ ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଫଳରେ ଗ୍ରୀଷ୍ମ ଲହରିରେ ବ୍ରେକ୍ ଲାଗିବା ସହ ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଏ ନେଇ ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଦେବଗଡ଼ ଆଦି ୨୪ ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁଛି। ସେହିଭଳି ୪ ଜିଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବାଲେଶ୍ୱରର ଅଧିକାଂଶ ଅଞ୍ଚଳ ଏବଂ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଆଦି ୨ଟି ଜିଲାର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିଛି । ବର୍ତ୍ତମାନ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୩-୪ଦିନ ମଧ୍ୟରେ ରାଜ୍ୟର ଏହି ୬ଟି ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ମୌସୁମୀ ସକ୍ରିୟ ରହିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ବର୍ଷା ଆରମ୍ଭ ହୋଇଛି। ଶୁକ୍ରବାର ଖୋର୍ଦ୍ଧାରେ ସର୍ବାଧିକ ୬୫ ମି.ମି. ବର୍ଷା ହୋଇଥିବାବେଳେ ରାଉରକେଲାରେ ୫୬, କେନ୍ଦୁଝର ୪୦, ଦାରିଙ୍ଗବାଡ଼ି ୩୮, ତାଳଚେର ୩୫, ସୋନପୁର ୨୪.୮, ବୌଦ୍ଧ ୨୩, ପାରାଦୀପ ୧୮, ଟିଟିଲାଗଡ଼ ୧୬.୨, ଯାଜପୁର ୧୫.୨, ଢେଙ୍କାନାଳ, ୧୫.୨ ଓ ଭୁବନେଶ୍ୱରରେ ୬.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲି, ଗୋପାଳପୁର, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ, ଫୁଲବାଣୀ, ଭଦ୍ରକ, ଯାଜପୁର, ନୂଆପଡ଼ାରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |