ବାରିପଦା,୨୨।୬: ବାରିପଦା ବସଷ୍ଟାଣ୍ଡରେ ୨ ଗୋଷ୍ଠୀ ମାରପିଟ ଘଟଣାରେ ଆଜି ବସଷ୍ଟାଣ୍ଡରୁ ବସ୍ ଚଳାଚଳ ବନ୍ଦ ରହିଛି। ତେବେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ସହ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା ଦେଖାଯାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ସଙ୍କଟାପନ୍ନ ଥିବା ବାରିପଦା ଯାତ୍ରୀବାହୀ ବସ୍ ମାଲିକ ତପନ କୁମାର ପୃଷ୍ଟି ଓ ସୁପରଭାଇଜର ଶୀତିକଣ୍ଠ ନାଏକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ୪ ଜଣଙ୍କ ମଧ୍ୟରେ ବିଶ୍ୱଜିତ ବେହେରା, ସ୍ୱପ୍ନଜିତ ସାହୁ, ଜୟଦେବ ମହାପାତ୍ର ଓ ସୌରଭ କୁମାର ବାରିକ ଚିକିତ୍ସାଧୀନ ରହିଛନ୍ତି। ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁର-ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସ୍ଥାନୀୟ ବସ୍ଷ୍ଟାଣ୍ଡରେ ପ୍ରବେଶ କରିବା ପରେ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେପଟେ ପୁଲିସ୍ ଏହି ଘଟଣାରେ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |