ଭୁବନେଶ୍ଵର,,୨୩।୬: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ଜଣ ଦଳୀୟ କର୍ମକର୍ତ୍ତା ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଦର୍ଶାଇ ୫ ଜଣ ଦଳୀୟ କର୍ମକର୍ତ୍ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏନେଇ ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା କର୍ମକର୍ତ୍ତା ତଥା ପଦାଧିକାରୀମାନେ ହେଉଛନ୍ତି, ଓପିସିସିର ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା, ଏନ୍ଏସ୍ୟୁଆଇ ସମ୍ପାଦକ ସନ୍ଦୀପ ରାଉତରାୟ, ଯୁବ କଂଗ୍ରେସ ରାଜ୍ୟ ସଂପାଦକ ଅମରେଶ ପରିଡ଼ା ଓ ଏନ୍ଏସ୍ୟୁଆଇ ରାଜ୍ୟ ସମ୍ପାଦକ ଆର୍ଯ୍ୟନ ସାସମଲ। ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ତାଙ୍କ ଚାମ୍ବରରେ ବସିଥିବା ବେଳେ ତାଙ୍କ ଉପରକୁ କାଳିମାଡ଼ କରାଯାଇଥିଲା। ବହିଷ୍କୃତ ହୋଇଥିବା ଉପରୋକ୍ତ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହିତ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ସେଥିପାଇଁ ପିସିସି ସଭାପତି ସେମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |