ଉତ୍ତରପ୍ରଦେଶ ହାଥରସରେ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା

ଲକ୍ଷ୍ନୌ,,୨ା୭ :  ଉତ୍ତରପ୍ରଦେଶର ହାଥରସରେ ଆଜି (ମଙ୍ଗଳବାର) ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ଘଟି ମହିଳା ଓ ୩ ଶିଶୁଙ୍କ ସମେତ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ସତସଙ୍ଗ (ପ୍ରାର୍ଥନା ସଭା) ସମୟରେ ଏହି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ବ ଦେବା ସହ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ହାଥରସ୍ ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୫୦ରୁ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଏଟା ଜିଲ୍ଲାର ଅଧିକାରୀମାନେ ଅତିରିକ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟ ବହୁ ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ସତସଙ୍ଗ ଶେଷ ହେବା ପରେ ଲୋକ ସେ ସ୍ଥାନ ଛାଡିବା ସମୟରେ ଦଳାଚକଟା ହୋଇଥିଲା। ସତସଙ୍ଗରେ ପ୍ରବଳ ଭିଡ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଯାହା ଫଳରେ ବଡ଼ ଅଘଟଣ ଘଟିଥିଲା।ହାଥରସର ସିକନ୍ଦର ରାଓ ଥାନା ଅଧୀନରେ ଥିବା ଏକ ଗାଁରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ କହିଛନ୍ତି ଯେ ୫୦ରୁ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବାରୁ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଅନୁମତି ଦେଇଥିଲେ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ଆୟୋଜକଙ୍କ ଦ୍ୱାରା କରାଯିବା କଥା ବୋଲି ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!